ଅମୃତପାଲକୁ ପାଉନି ପୁଲିସ

ନୂଆଦିଲ୍ଲୀ: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହକୁ ଗିରଫ କରିବାପାଇଁ ଲଗାତାର ୪ଦିନ ଧରି ପୁଲିସ ଅପ‌ରେସନ୍‌ ଜାରି ରହିଛି। କିନ୍ତୁ ଅମୃତପାଲ ଏଯାଏଁ ଧରାପଡ଼ିନି। ପଂଜାବ ଆଇଜିପି ସୁଖ୍‌ଚେନ ସିଂହ ଗିଲ୍‌ କହିଛନ୍ତି, ପୁଲିସ ଅମୃତପାଲକୁ ଧରିବା ପାଇଁ ଅହରହ କାମ କରୁଛି ଏବଂ ତା’ର ଶତାଧିକ ସହଯୋଗୀଙ୍କୁ ଗିରଫ କରାଯାଇଛି। ଇତିମଧ୍ୟରେ ଅମୃତପାଲ ପଂଜାବ ଛାଡ଼ି ପଳାଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ପୁଲିସ କହିଛି, ଅମୃତପାଲ ଏକ ମର୍ସିଡିଜ୍‌ରୁ ଓହ୍ଲାଇ ବ୍ରେଜା କାର୍‌ରେ ଶାହକୋଟ ଯାଇଥିଲା ଏବଂ ସେଠାରେ ସେ ନିଜର ପୋଷାକ ବଦଳାଇ ପଂଜାବରୁ ଏକ ମୋଟର ସାଇକେଲ୍‌ରେ ଫେରାର୍‌ ହୋଇଯାଇଛି। ପୁଲିସ ଅମୃତପାଲର ପୋଷାକ, କାର୍‌ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଖଲିସ୍ତାନୀ ନେତାକୁ ଖସି ପଳାଇବାରେ ସାହାଯ୍ୟ କରିଥିବା କିଛି ଲୋକଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଅମୃତପାଲ ପୋଷାକ ବଦଳାଇବାପାଇଁ ଜଳନ୍ଧର ଗୁରୁଦ୍ବାର ଯାଇଥିଲା ବୋଲି ପୁଲିସ କହୁଛି। ଇତିମଧ୍ୟରେ ପଂଜାବ ପୁଲିସ ଅମୃତପାଲ ସିଂହର ଫଟୋ ଜାରି କରିଛି ଏବଂ ତାକୁ ଗିରଫ କରିବାରେ ସହ‌ଯୋଗ କରିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି। ଅମୃତପାଲ ସିଂହ ବିରୋଧରେ ଏନ୍‌ଏସଏ (ଜାତୀୟ ସୁରକ୍ଷା‌ ଆଇନ) ଲାଗୁ ‌ହୋଇଛି ଏବଂ ମାର୍ଚ୍ଚ ୧୮ ତାରିଖ‌ରୁ ତା’ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ଏହାକୁ ନେଇ ଖଲିସ୍ତାନୀ ସମର୍ଥକମାନେ ବ୍ୟାପକ ହିଂସା ସୃଷ୍ଟି କରିବା ଆଶଙ୍କା ଥିବାରୁ ପୁଲିସ ବାହିନୀ ହାଇଆଲର୍ଟରେ ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଆଇଜିପି କହିଛନ୍ତି।

ସମ୍ବନ୍ଧିତ ଖବର