ଅମୃତସର: ରବିବାର ପଞ୍ଜାବର ମୋଗାର ରୋଡେ ଗାଁର ଗୁରୁଦ୍ୱାରାରୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ ସିଂହକୁ ନାଟକୀୟ ଭାବେ ଗିରଫ କରାଯାଇଛି, ଯାହା ଖଲିସ୍ତାନୀ ନେତା ଜର୍ଣ୍ଣେଲ ସିଂ ଭିନ୍ଦ୍ରନୱାଲେଙ୍କ ନିଜ ଗ୍ରାମ। ଏହା ପଞ୍ଜାବ ପୁଲିସ ପାଇଁ ଏକ ବଡ଼ ସଫଳତା ହୋଇଥିବା ବେଳେ ଅମୃତପାଲର ବ୍ୟାପକ ଭାରତ ବିରୋଧୀ ଷଡ଼ଯନ୍ତ୍ର ନେଇ ସବୁ ଅଧ୍ୟାୟ ଖୋଲିବ ବୋଲି କୁହାଯାଉଛି। କାନାଡ଼ା ଓ ବ୍ରିଟେନ ସମେତ ବିଭିନ୍ନ ରାଷ୍ଟ୍ରରେ ଭାରତ ବିରୋଧୀ ବିଚ୍ଛିନ୍ନତାବାଦୀ ଶକ୍ତିମାନଙ୍କ ସହିତ ଅମୃତପାଲର ସଂପର୍କ ନେଇ ଅନେକ ପ୍ରମାଣ ମିଳିଛି । କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ପାକିସ୍ତାନର ଆଇଏସ୍ଆଇ ସହ ଅମୃତପାଲର ସଂପର୍କ ନେଇ ଜେରା କରିବାକୁ ପ୍ରସ୍ତୁତ ହେଉଛନ୍ତି।
ରୋଡେ ଗ୍ରାମରୁ ଗିରଫ ହେବା ପୂର୍ବରୁ ଅମୃତପାଲ ପ୍ରାୟ ୩୬ ଦିନ ଧରି ପଳାତକ ଥିଲା। ସେ ରବିବାର ଗ୍ରାମର ଗୁରୁଦ୍ୱାରାରେ ପହଞ୍ଚି ସେଠାରେ ଭକ୍ତଙ୍କ ସହ ସଂକ୍ଷିପ୍ତ ଆଳାପ କରିବା ପରେ କହିଥିଲା ଯେ ସେ ଏଠାରେ ଆତ୍ମସମର୍ପଣ କରିବାକୁ ଚାହେ। ଏହି ଗ୍ରାମରେ ବିଚ୍ଛିନ୍ନତାବାଦୀ ନେତା ଭିନ୍ଦ୍ରନୱାଲେ ଜନ୍ମଗ୍ରହଣ କରିଥିଲେ ଏବଂ ଗତବର୍ଷ ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ଏକ ସମାରୋହରେ ଅମୃତପାଲକୁ ତା’ ସମର୍ଥକମାନେ ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ। ସରକାରୀ ସୂତ୍ର ଅନୁଯାୟୀ, ଅନୁସନ୍ଧାନ ଏଜେନ୍ସିଗୁଡ଼ିକର ବର୍ତ୍ତମାନର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଅମୃତପାଲକୁ ପାକିସ୍ତାନ ଆଇଏସ୍ଆଇ ସହ ଥିବା ଲିଙ୍କ୍ ବିଷୟରେ ପଚରାଉଚରା କରିବା। ଦୁବାଇରୁ ପଞ୍ଜାବ ଆସିବା ପାଇଁ ତାକୁ ଆଇଏସ୍ଆଇ କିପରି ସମର୍ଥନ କରିଛି ସେ ନେଇ ସମଗ୍ର ଷଡ୍ଯନ୍ତ୍ରର ଖୁଲାସା କରିବା। ଆଜି ତାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସାମର ଦିବ୍ରୁଗଡ ଜେଲକୁ ପଠାଯାଇଛି। ପୂର୍ବରୁ ଜାତୀୟ ସୁରକ୍ଷା ଆଇନ (ଏନଏସ୍ଏ) ଅନୁଯାୟୀ ତା’ ନାମରେ ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ ଅମୃତପାଲର ପତ୍ନୀ କିରଣଦୀପ କୌର ଏପ୍ରିଲ ୨୦ରେ ଯେତେବେଳେ ଅମୃତସର ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ତାଙ୍କୁ ଅଟକାଇ ପୁଲିସ ପକ୍ଷରୁ ଜେରା କରାଯାଇଥିଲା। ଡ୍ରଗ୍ସ କାରବାର ତଥା ଅସ୍ତ୍ରଶସ୍ତ୍ର କାରବାରରେ ସମ୍ପୃକ୍ତି ଥିବା ବିଷୟରେ ଏଜେନ୍ସିମାନେ ମଧ୍ୟ ଅମୃତପାଲକୁ ଜେରା କରିବେ କାରଣ ଗତ ଅଗଷ୍ଟରେ ସେ ପଞ୍ଜାବକୁ ଫେରିବା ପରଠାରୁ ସୀମା ପାର ହୋଇ ଡ୍ରୋନ୍ ଆସିବାର ଦୃଶ୍ୟ ବୃଦ୍ଧି ପାଇଥିଲା।
ଅମୃତପାଲକୁ ନେଇ ପଞ୍ଜାବ ପୁଲିସର ଦାବି, ଆତ୍ମସମର୍ପଣ କରିନି, ଗିରଫ କରାଯାଇଛି
ଚଣ୍ଡୀଗଡ଼: ଅମୃତପାଲର ଗିରଫକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ସେ ତା ଆଡ଼ୁ ଆତ୍ମସମର୍ପଣ କରିଛି ନା ପୁଲିସ ତାକୁ ଗିରଫ କରିଛି ସେ ନେଇ ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ପଞ୍ଜାବ ପୁଲିସ ଅମୃତପାଲକୁ ଗିରଫ କରାଯାଇଛି ବୋଲି ସ୍ପଷ୍ଟ କରିଛି। ପଞ୍ଜାବ ପୁଲିସ ଆଇଜି ସୁଖଚେନ ସିଂହ ଗିଲ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅମୃତପାଲ ଉପରେ ପୁଲିସ ପକ୍ଷରୁ ନିରବଚ୍ଛିନ୍ନ ଭାବେ ଚାପ ସୃଷ୍ଟି କରାଯାଇଥିଲା। ତେଣୁ ଆତ୍ମସମର୍ପଣ ବିନା ତା’ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା। ସକାଳ ୬ଟା ୪୫ ମିନିଟରେ ମୋଗାର ରୋଡ଼େ ଗ୍ରାମରୁ ତାକୁ ଗିରଫ କରାଯିବା ପୂର୍ବରୁ ସମଗ୍ର ଗ୍ରାମକୁ ଘେରାବନ୍ଦୀ କରାଯାଇଥିଲା। ଗୁରୁଦ୍ବାରାର ମର୍ଯ୍ୟାଦା ଯୋଗୁ ପୁଲିସ ଗୁରୁଦ୍ବାରା ଭିତରକୁ ଯାଇ ନଥିଲା ବୋଲି ଆଇଜି ଶ୍ରୀ ଗିଲ୍ କହିଛନ୍ତି। ଗୁଇନ୍ଦା ଶାଖା ଏବଂ ଅମୃତସର ଗ୍ରାମାଞ୍ଚଳ ପୁଲିସର ମିଳିତ କାର୍ଯ୍ୟାନୁଷ୍ଠାନରେ ଅମୃତପାଲକୁ ଗିରଫ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ପୁଲିସ ଅମୃତପାଲକୁ ହେପାଜତକୁ ନେବା ପୂର୍ବରୁ ସେ ଗୁରୁଦ୍ବାରାରେ ପ୍ରବଚନ ଦେଉଥିଲା ବୋଲି ଯେଉଁ ରିପୋର୍ଟ ଆସୁଛି ସେ ସଂପର୍କରେ ଆଇଜି ଶ୍ରୀ ଗିଲ୍ କହିଛନ୍ତି ଭିତରେ କ’ଣ ହୋଇଛି ସେ ସଂପର୍କରେ ପୁଲିସ ଅବଗତ ନାହିଁ।