ନିଶା ନିବାରଣ କେନ୍ଦ୍ର ଓ ଗୁରୁଦ୍ବାରରେ ‘ମାନବ ବୋମା’ ପ୍ରସ୍ତୁତ କରୁଥିଲା ଅମୃତପାଲ୍

ଚଣ୍ଡିଗଡ଼: ଖଲିସ୍ତାନ ସମର୍ଥକ ପ୍ରଚାରକ ଅମୃତପାଲ ସିଂହ ସଂପର୍କରେ କେତେକ ଚାଞ୍ଚଲ୍ୟକର କଥା ଜାଣିବାକୁ ପାଇଛନ୍ତି ତଦନ୍ତକାରୀ ଦଳ । ସେ ଆଇଏସଆଇ ସଂପର୍କରେ ଥିଲା ଓ ସେଠାରୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ପାଉଥିଲା । ନିଶାମୁକ୍ତି କେନ୍ଦ୍ର ଓ ଗୁରୁଦ୍ୱାରକୁ ବ୍ୟବହାର କରି ସେଠାରେ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ସହ ଯୁବକମାନଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ କରୁଥିଲା ।

ସୁରକ୍ଷା ବଳ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ ଦାବି କରାଯାଇଛି ଯେ ସିଂହ ମୁଖ୍ୟତଃ ଯୁବକମାନଙ୍କୁ ‘ଖଡ଼କୁସ’ ବା ମାନବ ବୋମା ତିଆରି କରିବାକୁ ପ୍ରସ୍ତୁତ କରୁଥିଲା । ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏବଂ ବିଦେଶରେ ରହୁଥିବା ଖଲିସ୍ତାନୀ ସମର୍ଥକଙ୍କ ନିର୍ଦ୍ଦେଶରେ ସେ ଗତବର୍ଷ ଦୁବାଇରୁ ଭାରତ ଫେରିଥିଲା । ଶନିବାର ପଞ୍ଜାବ ସରକାର ତାଙ୍କ ‘ଓ୍ଵାରିସ୍ ପଞ୍ଜାବ ଦେ’ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରଠାରୁ ଏହି ସ୍ୱୟଂଘୋଷିତ ପ୍ରଚାରକ ଫେରାର ଅଛି । ତେବେ ତା’ ସଂଗଠନର ୭୮ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି ।

ପୁଲିସ ପକ୍ଷରୁ ଯାଞ୍ଚ ବେଳେ ଅମୃତପାଲ୍ ଦ୍ୱାରା ଗଠିତ ତଥାକଥିତ ଆନନ୍ଦପୁର ଖାଲସା ଫ୍ରଣ୍ଟ (ଏକେଏଫ୍) ପାଇଁ ଅଣାଯାଇଥିବା ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହା ସହିତ ପୁଲିସ ୟୁନିଫର୍ମ ଓ ଜ୍ୟାକେଟ୍ ମଧ୍ୟ ଜବତ କରିଛି । ପୁଲିସ କହିବା ଅନୁଯାୟୀ କେତେକ ଉଗ୍ରବାଦୀ ଶିଖ୍ ପ୍ରଚାରକଙ୍କ କାରରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି, ଯେଉଁଥିରେ ‘ଏକେଏଫ୍’ ଚିହ୍ନ ରହିଛି ।

ସମ୍ବନ୍ଧିତ ଖବର