ସ୍ବର୍ଣ୍ଣ ମନ୍ଦିରରେ ଆତ୍ମସମର୍ପଣ ପାଇଁ ଅମୃତପାଲର ଯୋଜନା

ଫେସ୍‌ବୁକ୍‌ରେ ଜାରି କଲା ଭିଡିଓ ବାର୍ତ୍ତା

ନୂଆଦିଲ୍ଲୀ : ଫେରାର୍‌ ଖଲିସ୍ତାନୀ ଉଗ୍ରବାଦୀ ଅମୃତପାଲ ସିଂହ ଦୀର୍ଘ ୧୧ ଦିନ ଧରି ପୁଲିସକୁ ଚକ୍‌ମା ଦେଇଚାଲିଛି। ସେ ଅମୃତସରରେ ହିଁ ଆତ୍ମସମର୍ପଣ ପାଇଁ ଯୋଜନା କରୁଥିବା ବେଳେ ବୁଧବାର ଦିନ ଫେସ୍‌ବୁକ୍‌ରେ ଭିଡିଓ ବାର୍ତ୍ତା ଜାରି କରି ପୁଲିସ ଓ ସରକାରକୁ ଧମକାଇଛି। ଅମୃତପାଲ କହିଛି ୧୮ ମାର୍ଚ୍ଚ ପରଠାରୁ ମୁଁ ପ୍ରଥମ ଥର ପାଇଁ ଆଜି ଲୋକଙ୍କ ସାମ୍ନାକୁ ଆସିଛି ଏବ ମୋର ଗିରଫଦାରୀ ଉପରବାଲାଙ୍କ ହାତରେ ରହିଛି। ସରକାର ଅସହାୟ ଲୋକଙ୍କୁ ଜେଲ୍‌ରେ ପୂରାଉଛି ଏବଂ ପ୍ରଶାସନ ମୋ ସାଥୀମାନଙ୍କୁ ଟାର୍ଗେଟ୍‌ କରିଚାଲିଛି । ଲୋକଙ୍କ ଉପରେ ଏନ୍‌ଏସ୍‌ଏ ଲଗାଯାଉଛି ଏବଂ ପୁଲିସ ଜୁଲମ ଜାରି ରହିଛି । ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ଆମର ଧାର୍ମିକ ଓ ନୈତିକ ଅଧିକାର ବୋଲି ଅମୃତପାଲ କହିଛି । ସେ ସ୍ବର୍ଣ୍ଣ ମନ୍ଦିର ସରବତ ଖାଲସାରେ ଦେଶ ବିଦେଶର ଶିଖ୍‌ମାନେ ବିପୁଳ ଉତ୍ସାହରେ ଭାଗ ନେବାକୁ ଆହ୍ବାନ ଦେଇଛି । ଏହା ସହିତ ଧାର୍ମିକ ଉତ୍ତେଜନା ସୃଷ୍ଟି ପାଇଁ ମଧ୍ୟ ସେ ଏହି ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରୟାସ କରିଛି ।

ଅମୃତପାଲର ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ବାହିନୀର ତତ୍ପରତା ବଢ଼ିଯାଇଛି । ‘ୱାରିସ ପଂଜାବ ଦେ’ର ମୁଖ୍ୟ ଥିବା ଅମୃତପାଲ କିଛି ବଡ଼ ହଟଚମଟ କରିବା ପାଇଁ ସ୍ବର୍ଣ୍ଣ ମନ୍ଦିର ପରିସରରେ ହିଁ ଆତ୍ମସମର୍ପଣ କରିପାରେ ବୋଲି ଅମୃତସର ପୁଲିସ କମିସନର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି । ଅନ୍ୟପକ୍ଷରେ ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅମୃତପାଲର ଭିଡିଓ ବାର୍ତ୍ତା ଉତ୍ତରପ୍ରଦେଶର କୌଣସି ସ୍ଥାନରେ ରେକର୍ଡ କରାଯାଇଛି ଏବଂ ଏହାକୁ ବ୍ରିଟେନ୍‌ରେ ଥିବା ଏକ ଖଲିସ୍ତାନୀ ସମର୍ଥକ ସଂସ୍ଥା ଜାରି କରିଛି।

ସମ୍ବନ୍ଧିତ ଖବର