ଚଣ୍ଡିଗଡ଼: ଶନିବାର ଅପରାହ୍ନରେ ପଞ୍ଜାବର ଗୁରୁ ନାନକ ଦେବ ଡାକ୍ତରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସୂଚନାନୁସାରେ, ଓପିଡି ନିକଟରେ ଏକ ବଡ଼ ବିସ୍ଫୋରଣର ହେବା ପରେ ନିକଟସ୍ଥ କୋଠାରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କଳା ଧୂଆଁରେ ହଜିଯାଇଥିଲା କୋଠା। ବହୁତ ଦୂରରୁ ଲୋକେ ନିଆଁ ଏବଂ କଳା ଧୂଆଁ ଦେଖିପାରୁଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିବା ବେଳେ ଏହି ଅଗ୍ନିକାଣ୍ଡରେ ଡାକ୍ତରଖାନାର ଲକ୍ଷ ଲକ୍ଷ ଟଙ୍କାର କ୍ଷତି ଘଟିଥିବା କୁହାଯାଉଛି। ଖୁସିର କଥା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। କିଛି ଘଟିବା ପୂର୍ବରୁ ୬୫୦ ରୋଗୀଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ବୋଲି କୁହାଯାଉଛି।

ଡାକ୍ତରଖାନାର କର୍ମଚାରୀମାନେ ନିଆଁ ଲାଗିବା ଦେଖି ତୁରନ୍ତ ରୋଗୀଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଡାକ୍ତରଖାନାରେ ବିସ୍ଫୋରଣ ହୋଇଥିବା ଡାକ୍ତରଖାନାର ଅଧିକାରୀମାନେ ନିଶ୍ଚିତ କରିବା ସହ କହିଛନ୍ତି ଯେ ଓପିଡି ନିକଟରେ ସ୍ଥାପିତ ଦୁଇଟି ବୈଦ୍ୟୁତିକ ଟ୍ରାନ୍ସଫର୍ମର ଫାଟିବାରୁ ଡାକ୍ତରଖାନାରେ ନିଆଁ ଲାଗିଥିଲା।
ଗତକାଲି ଦିଲ୍ଲୀରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା, ଯେଉଁଥିରେ ୨୭ଜଣଙ୍କର ମୃତ୍ୟୁ ହୋଇଥିଲା। ସନ୍ଧ୍ୟା ବେଳେ ମୁଣ୍ଡକା ମେଟ୍ରୋ ଷ୍ଟେସନ୍ ନିକଟରେ ଥିବା ଅଟ୍ଟାଳିକାରେ ନିଆଁ ଲାଗିବା ସମୟରେ ୭୫ରୁ ଅଧିକ ବ୍ୟକ୍ତି ଥିଲେ। ପ୍ରଥମ ତାଲାରେ ଥିବା ଗୋଟାଏ ଅଫିସ୍ରେ ନିଆଁ ଲାଗି ଦ୍ରୁତ ବେଗରେ ବ୍ୟାପିଯାଇଥିଲା। ଏଯାବତ୍ ସେଠାରୁ ୨୭ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୨୯ଜଣ ନିଖୋଜ ଅଛନ୍ତି।