ମୁମ୍ବାଇ: ଏମଏନଏସ(ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ ଠାକରେଙ୍କ ଟ୍ୱିଟ ପରେ ବର୍ତ୍ତମାନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରକୃତ ଯୋଗୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ 'ଭୋଗୀ' ବୋଲି କହିଛନ୍ତି। ଅମୃତା ଫଡନାଭିସ୍ ଟ୍ୱିଟ୍ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ 'ହେ ଭୋଗୀ, ଆମର 'ଯୋଗୀ'ଙ୍କଠାରୁ କିଛି ଶିଖ'! ଏଠାରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିଲେ। ଏହାପୂର୍ବରୁ ଏକ ଟ୍ୱିଟରେ ଏମଏନଏସ ମୁଖ୍ୟ ରାଜ ଠାକରେ ମରାଠୀ ଏବଂ ଇଂରାଜୀରେ ଲେଖିଥିଲେ ଯେ, 'ମୁଁ ଯୋଗୀ ସରକାରଙ୍କୁ ଧାର୍ମିକ ସ୍ଥାନରୁ ବିଶେଷ କରି ମସଜିଦରୁ ଲାଉଡସ୍ପିକର ହଟାଇଥିବାରୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଦୁର୍ଭାଗ୍ୟବଶତଃ ମହାରାଷ୍ଟ୍ରରେ କୌଣସି 'ଯୋଗୀ' ନାହାନ୍ତି, ବରଂ ଆମର ଭୋଗୀ ଅଛନ୍ତି | ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଭୋଗୀଙ୍କୁ କିଛି ସଦବୁଦ୍ଧି ଦିଅନ୍ତୁ' |
ऐ ‘भोगी’ , कुछ तो सीख हमारे ‘योगी’ से !#Maharashtra#thursdayvibes
— AMRUTA FADNAVIS (@fadnavis_amruta) April 28, 2022
ସୂଚନାଯୋଗ୍ୟ ଯେ ରାଜ ଠାକରେ ସମଗ୍ର ଦେଶରେ ଲାଉଡସ୍ପିକରକୁ ନେଇ ଉଠିଥିବା ପ୍ରସଙ୍ଗ ଆରମ୍ଭ କରିଥିଲେ। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମସଜିଦରୁ ଲାଉଡସ୍ପିକର ହଟାଇବାକୁ କହିଥିଲେ ଏବଂ ଏଥିପାଇଁ ମେ ୨ ପର୍ଯ୍ୟନ୍ତ ସମୟ ଦେଇଥିଲେ। ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବା ଏହି ବିବାଦ ଉତ୍ତରପ୍ରଦେଶରେ ପହଞ୍ଚିଥିଲା ଓ ଗତ ସପ୍ତାହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ ଯେ, ଅନୁମତି ନେଇ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରାଯାଇପାରିବ। କିନ୍ତୁ ସଂପୃକ୍ତ ପରିସର ବାହାରକୁ ଶବ୍ଦ ଆସିପାରିବ ନାହିଁ। ଏହି ଘୋଷଣା ପରେ ବର୍ତ୍ତମାନ ରାଜ୍ୟର ୩୦,୦୦୦ ଧାର୍ମିକ ସ୍ଥାନରେ ଲାଉଡସ୍ପିକରର ଶବ୍ଦକୁ କମ କରାଯାଇଛି। ଯେଉଁମାନେ ଧାର୍ମିକ ସ୍ଥାନଗୁଡ଼ିକର ଦାୟିତ୍ୱରେ ଅଛନ୍ତି ସେମାନେ ନିଜେ ଏହି ପଦକ୍ଷେପ ନେଇଛନ୍ତି।
ଏହା ସହ ୬,୦୦୦ ଧାର୍ମିକ ସ୍ଥଳରୁ ଲାଉଡସ୍ପିକରକୁ ହଟାଇଦିଆଯାଇଛି। ଅନ୍ୟପଟେ ଆଉ ଏକ ସୂତ୍ରରୁ ଖବର ଆସିଛି ଯେ ବିଜେପି-ଏମଏନ୍ଏସ୍ ମଧ୍ୟରେ ମେଣ୍ଟ ହୋଇପାରେ । ଏହି ପ୍ରସଙ୍ଗରେ ଏପ୍ରିଲ ୨୧ ରେ ଦୁଇ ଦଳ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଥାଉ କି ଯେ ଜୁନ୍ ୫ ରେ ରାଜ ଠାକରେ ଅଯୋଧ୍ୟା ଯିବେ ଏବଂ ଜୁନ୍ ୬ ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ |