ଦିଲ୍ଲୀରୁ ଅମୃତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଜୋରବାଗ ଅଞ୍ଚଳର ବିକେ ଦତ୍ତ କଲୋନିରୁ ଗୁରୁବାର ରାତିରେ ପଞ୍ଜାବ ପୁଲିସ ଖଲିସ୍ତାନୀ ନେତା ଅମୃତପାଲର ଜଣେ ସହଯୋଗୀକୁ ଗିରଫ କରିଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ସହାୟତାରେ ପଞ୍ଜାବ ପୁଲିସ ତାକୁ ପ୍ରଥମେ ଅଟକ ରଖିଥିଲା ଓ ପରେ ତାକୁ ନିଜ ସହ ନେଇଯାଇଛି । ତିନି ଦିନ ତଳେ ତିଳକ ବିହାରରୁ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଥିଲା।

ଅନ୍ୟପକ୍ଷରେ ଫେରାର ଅମୃତପାଲ ସିଂହର ସନ୍ଧାନ ଜାରି ରହିଛି । ୭ ଦିନ ତଳେ ସେ ଫେରାର ହୋଇଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଅମୃତପାଲ ସିଂହର ଶେଷ ସ୍ଥାନ ହରିୟାଣାରେ ଦେଖିବାକୁ ମିଳିଥିଲା। ସେ ହରିୟାଣାରୁ ଦିଲ୍ଲୀ ଯାଇପାରିଥାଏ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ପୁଲିସ ପକ୍ଷରୁ ସତର୍କତା ବଢ଼ାଇ ଦିଆଯାଇଛି ।

ଗୁରୁବାର ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଅମୃତପାଲ ସିଂହ ହରିୟାଣାର ଶାହାବାଦରେ ଜଣେ ମହିଳାଙ୍କ ଘରୁ ବାହାରିଥିବା ଦେଖିବାକୁ ମିଳିଥିଲା। ମହିଳା ଜଣକ ତାଙ୍କୁ ଆଶ୍ରୟ ଦେଇଥିଲେ। ଭିଡିଓରେ ପଳାତକ ଅମୃତପାଲ ଧଳା ସାର୍ଟ, ଗାଢ଼ ନୀଳ ରଙ୍ଗର ଜିନ୍ସ ପିନ୍ଧି ମୁହଁ ଲୁଚାଇବା ପାଇଁ ଛତା ଧରିଥିବାର ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର