ଅମୃତସର ଆତଙ୍କବାଦୀ ଆକ୍ରମଣ : ବିସ୍ଫୋରଣରେ ପାକିସ୍ତାନୀ ଗ୍ରେନେଡ୍‌

ସିସିଟିଭିରୁ ସନ୍ଦିଗ୍ଧଙ୍କ ଫଟୋ ଜାରି

ଅମୃତସର: ପଞ୍ଜାବର ଅମୃତସର ସହରର ରାଜାସାଂସି ଅଞ୍ଚଳରେ ଗତକାଲି ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣ‌ାରେ ପଞ୍ଜାବ ପୁଲିସ ଏକ ଗୁରୁତ୍ବପୂର୍ଣ୍ଣ ସୁରାକ୍‌ ପାଇଛି। ଆକ୍ରମଣ ପାଇଁ ବ୍ୟବହୃତ ହୋଇଥିବା ଗ୍ରେନେଡ୍‌ ଏଚ୍‌ଇ-୩୬ ସିରିଜ୍‌ର ବୋଲି ଜଣାପଡ଼ିଛି। ଏହି ସିରିଜ୍‌ର ଗ୍ରେନେଡ୍‌ ସାଧାରଣତଃ ପାକ୍‌ ସେନା ବ୍ୟବହାର କରିଥାଏ। ଏହି ହ୍ୟାଣ୍ଡ୍‌ ଗ୍ରେନେଡ୍‌କୁ ଫିଙ୍ଗିବା ପରେ ଏହା ପ୍ରଥମେ ଧୂଆଁ ସୃଷ୍ଟି କରେ ଏବଂ ପରେ ପ୍ରବଳ ବିସ୍ଫୋରଣ ଘଟାଇଥାଏ। ଗତକାଲି ରାଜାସାଂସି ଅଞ୍ଚଳର ପ୍ରାର୍ଥନା ସଭାରେ ଅନୁରୂପ ଭାବେ ଗ୍ରେନେଡ୍‌ଟି ବିସ୍ଫୋରଣ ଘଟିଥିଲା। ଫଳରେ ୩ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୨୦ ଜଣ ଗୁରୁତର ଆହତ ହୋଇଥିଲେ। ଅମୃତସର ବିସ୍ଫୋରଣ ଘଟଣା ପାଇଁ ଏ ପର୍ଯ୍ୟନ୍ତ ଯଦିଓ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି, ରାଜ୍ୟ ସରକାର ଏବଂ ପୁଲିସ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଦାବି କରୁଛନ୍ତି। ପାକ୍‌ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ମାଧ୍ୟମରେ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି। ଏହାକୁ ନେଇ ପଞ୍ଜାବରେ ହାଇଆଲର୍ଟ ଜାରି କରାଯାଇଛି। ପଠାନ୍‌କୋଟ୍‌ ଆକ୍ରମଣ ପରେ ପଞ୍ଜାବରେ ଆଉ ଆତଙ୍କବାଦୀ ଆକ୍ରମଣ ହୋଇନଥିଲା। କିନ୍ତୁ ଭାରତୀୟ ସେନାର ଅଲ୍‌ ଆଉଟ୍‌ ଅପରେସନ୍‌ ଦ୍ବାରା ହଡ଼ବଡ଼େଇ ଯାଇଥିବା ଆତଙ୍କବାଦୀମାନେ ଏବେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସେମାନେ ନିୟମିତ ଭାବେ ସାଧାରଣତଃ ଜମ୍ମୁ କଶ୍ମୀର‌ରେ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖୁଥିବା ବେଳେ ଏବେ ପଞ୍ଜାବ ଆଡ଼େ ମୁହାଁଇଛନ୍ତି। ବିଶେଷକରି ହିନ୍ଦୁ ସଂଗଠନକୁ ଟାର୍ଗେଟ୍‌ କରି ସେମାନେ ଆତଙ୍କ ଖେଳାଉଥିବା ଜଣାପଡ଼ିଛି।
ଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଜରୁରି ବୈଠକ ଡକାଯାଇ ଘଟଣା ଉପରେ ବ୍ୟାପକ ଆଲୋଚନା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ପାଇଁ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଅନ୍ୟ ଏକ ସୂତ୍ର ମୁତାବକ କୌଣସି ନୂଆ ଆତଙ୍କବାଦୀ ସଂଗଠନ ଦ୍ବାରା ଏଭଳି ବିସ୍ଫୋରଣ ଘଟାଯାଇଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି ଦୁଇଜଣ ଆତଙ୍କୀଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ଦୁଇଜଣ ଆତଙ୍କବାଦୀ ଯେଉଁ ମୋଟରସାଇକେଲ୍‌ରେ ଆସିଥିଲେ, ତାହାକୁ ଚିହ୍ନଟ କରାଯାଇଛି। ଏହାକୁ ଆଧାର କରି ସେମାନଙ୍କ ଫଟୋ ଜାରି କରାଯାଇଛି।

ସମ୍ବନ୍ଧିତ ଖବର