ଆଗ୍ରା: ତତ୍କାଳ ତିନ୍ ତଲାକ୍ ବିରୋଧରେ ଉଚ୍ଚତମ ନ୍ୟାୟାଳୟ ରାୟ ଶୁଣାଇବାର ଦୁଇ ମାସ ପରେ ଆଲିଗଡ଼ ମୁସ୍ଲିମ୍ ୟୁନିଭର୍ସିଟିର ପ୍ରଫେସର୍ ଖାଲିଦ୍ ବିନ୍ ୟୁସୁଫ୍ ଖାଁଙ୍କ ପତ୍ନୀ ଯସ୍ମିନ୍ ଖାଲିଦ୍ ଅଭିଯୋଗ କରିଛନ୍ତି କି ସେ ତିନ୍ ତଲାକ୍ର ସରବ୍ୟ ହୋଇଛନ୍ତି ଏବଂ ଯଦି ତାଙ୍କୁ ନ୍ୟାୟ ନ ମିଳେ ସେ ନିଜ ଛୁଆମାନଙ୍କ ସହ କୁଳପତିଙ୍କ ଘର ଆଗରେ ଆତ୍ମହତ୍ୟା କରିବେ।
ଶନିବାର ଦିନ ଗଣମାଧ୍ୟମ ଆଗରେ ଯସ୍ମିନ୍ କହିଛନ୍ତି ଦୀର୍ଘ ୨୭ ବର୍ଷ ହେବ ଚାକିରି କରିଥିବା ଏଏମ୍ୟୁର ସଂସ୍କୃତ ବିଭାଗର ପ୍ରଫେସର୍ ତଥା ଚେୟାର୍ମ୍ୟାନ୍ ଥିବା ଖାଁ ତ୍ରୁଟିପୂର୍ଣ୍ଣ ଭାବେ ତାଙ୍କୁ ତିନ୍ ତଲାକ୍ ଦେଇଛନ୍ତି। ପ୍ରଥମେ ସେ ହ୍ଵାଟ୍ସ୍ଆପ୍ରେ ଏବଂ ପରେ ଟେକ୍ସଟ୍ ମେସେଜ୍ରେ ତିନ୍ ତଲାକ୍ ଦେଇଥିଲେ। ସେ କହିଛନ୍ତି: ଡିସେମ୍ବର ୧୧ ତାରିଖ ସୁଦ୍ଧା ନ୍ୟାୟ ନ ମିଳିଲେ ତିନି ପିଲାଙ୍କ ସହ କୁଳପତି ତାରିକ୍ ମନ୍ସୂରଙ୍କ ବାସଭବନ ସାମ୍ନାରେ ଆତ୍ମହତ୍ୟା କରିବା ଛଡ଼ା ତାଙ୍କର ଅନ୍ୟ ଗତି ନାହିଁ।
ସେ (ଖାଁ) ମତେ ଘରୁ ନିକାଲି ଦେଇଥିବାରୁ ମୁଁ ନ୍ୟାୟ ପାଇଁ ଏଠୁ ସେଠିକି ଧାଉଁଛି। କିନ୍ତୁ ଏ ପର୍ଯ୍ୟନ୍ତ ମତେ କେହି ସାହାଯ୍ୟ କରି ନାହାନ୍ତି। ସେ ଯାହାହେଉ, ପୁଲିସ ସହାୟତାରେ ଶୁକ୍ରବାର ସନ୍ଧ୍ୟାରେ ମୁଁ ଘରେ ପଶି ପାରିଛି।
ଖାଁ’ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି: ମୁଁ କେବଳ ହ୍ଵାଟ୍ସ୍ଆପ୍ ଏବଂ ଏସ୍ଏମ୍ଏସ୍ ଜରିଆରେ ନୁହେଁ ଅନ୍ୟ ଦୁଇ ବ୍ୟକ୍ତିଙ୍କ ଉପସ୍ଥିତିରେ ମୌଖିକ ଭାବେ ତାଙ୍କୁ ତଲାକ୍ ଦେଇଛି। ତାହା ମଧ୍ୟ ଶାରିଆ ଅନୁସାରେ।
ମାମଲାରେ ନିଜେ ସରବ୍ୟ ହୋଇଛନ୍ତି ବୋଲି ଦାବି କରି ଖାଁ କହିଛନ୍ତି: ବାସ୍ତବ କଥା ହେଲା, ଗତ ଦୁଇ ଦଶନ୍ଧି ହେବ ସେ ମତେ ନିର୍ଯାତନା ଦେଇ ଆସୁଛନ୍ତି। ଆମ ବିବାହ ପୂର୍ବରୁ ସେ ମୋଠାରୁ ଅନେକ କଥା ଲୁଚାଇ ରଖିଥିଲେ। ପରେ ମୁଁ ଜାଣିଲି ତା’ କହିଥିବା ମୁତାବକ, ସେ ସ୍ନାତକ ମଧ୍ୟ ପାସ୍ କରି ନାହିଁ। ନିର୍ଦ୍ଦିଷ୍ଟ ତାରିଖରେ ମୁଁ ତାକୁ ତୃତୀୟ ତଲାକ୍ ମଧ୍ୟ ଦେବି। ଏଥିରୁ ମତେ କେହି ବିରତ କରି ପାରିବେ ନାହିଁ। ସେ ଯାହାକୁ କରୁ ମୋ କିଛି ଯାଏ ଆସେ ନାହିଁ।
ଯସ୍ମିନ୍ କହନ୍ତି: ସେ କେବଳ ସ୍ନାତକ ନୁହନ୍ତି, ଏଏମ୍ୟୁରୁ ସେ ଏମ୍ଏ ଏବଂ ବିଏଡ୍ କରିଛନ୍ତି।
ଆଲିଗଡ଼ ଏସ୍ଏସ୍ପି ରାଜେଶ ପାଣ୍ଡେ କହିଛନ୍ତି ଯେ ପୁଲିସ ତାଙ୍କୁ ଘରେ ପ୍ରବେଶ କରାଇଛି। ଯସ୍ମିନ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ଅଭିଯୋଗ ଦାଏର କରି ନ ଥିବାରୁ ତାଙ୍କୁ (ସ୍ୱାମୀ) କେବଳ ବୁଝାସୁଝା କରାଯାଉଛି। ଏ ଭଳି ପରିସ୍ଥିତିରେ ପୁଲିସ ବିଭାଗ ବିଶେଷ କିଛି କରି ପାରିବ ନାହିଁ। ଆମେ ଉଭୟଙ୍କୁ ଏଠାକୁ ଡାକିଛୁ।
ଏ ବର୍ଷ ଅଗଷ୍ଟ ମାସରେ ଉଚ୍ଚତମ ନ୍ୟାୟାଳୟର ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ତିନ୍ ତଲାକ୍ ପ୍ରଥାକୁ ଅସାମ୍ବିଧାନିକ ବୋଲି ଘୋଷଣା କରି ଛଅ ମାସ ମଧ୍ୟରେ ଏ ବିଷୟରେ ଆଇନ୍ କରିବାକୁ ସଂସଦକୁ ନିର୍ଦେଶ ଦେଇଥିଲେ। ଯଦି ଛଅ ମାସ ମଧ୍ୟରେ ଆଇନ୍ ପ୍ରଣୟନ ନ ହୁଏ, ତିନ୍ ତିଲାକ୍ ସମ୍ବନ୍ଧରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ କାଏମ ରହିବ।