ଛାତ୍ରଙ୍କୁ ମହଙ୍ଗା ପଡ଼ିଲା ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆଲିଗଡ ମୁସ୍ଲିମ୍ ୟୁନିଭର୍ସିଟି ଛାତ୍ରଙ୍କୁ ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା । ଭାଷା ବିଜ୍ଞାନ( ଲିଙ୍ଗୁଇଷ୍ଟିକ୍ସ)ର ପୂର୍ବ ଛାତ୍ର ଡ. ଦାନୀଶ ରହିମ ପ୍ରଧାନମନ୍ତ୍ରୀଙ୍କ ଏକ ଭାଷଣକୁ ନେଇ ପ୍ରଶଂସା କରିଥିଲେ । ଏହାସହ ମୋଦୀଙ୍କୁ ପ୍ରଶଂସା କରି ଗଣମାଧ୍ୟମରେ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ଏହାକୁ ନେଇ ଏବେ ଦାନୀଶଙ୍କ ଉପରେ ଦାଉ ସାଧୁଛନ୍ତି ୟୁନିଭର୍ସିଟି କର୍ତ୍ତୃପକ୍ଷ ।

ଭାଷା ବିଜ୍ଞାନରେ ତାଙ୍କର ପିଏଚଡି ଡିଗ୍ରିକୁ ପ୍ରତ୍ୟାହାର କରିନେବାକୁ ନୋଟିସ୍ ହୋଇଛି । ଏହି ଡିଗ୍ରି ନୁହେଁ ବରଂ ଆଉ ଏକ ବିଷୟରେ ତାଙ୍କୁ ଡିଗ୍ରି ଦେବାକୁ କହିଛନ୍ତି ୟୁନିଭର୍ସିଟି କର୍ତ୍ତୃପକ୍ଷ ।

ତେବେ ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ଏପରି ଅଜବ ନିଷ୍ପତ୍ତିରେ ବିଚଳିତ ହୋଇପଡିଛନ୍ତି ଦାନୀଶ । ତାଙ୍କ ପ୍ରତି ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ଏପରି ମନୋଭାବ ପ୍ରତି ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ଆରମ୍ଭ କରି , ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ଦାନୀଶ ।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ୨୨ ତାରିଖରେ ଏଏମୟୁର ପ୍ରତିଷ୍ଠା ଦିବସ ଅବସରରେ ଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାକୁ ନେଇ ଦାନୀଶ ବୈଦ୍ୟୁତିକ ଗଣମାଧ୍ୟମରେ ମୋଦୀଙ୍କୁ ପ୍ରଶଂସା କରିବା ସହ ଗଣମାଧ୍ୟମରେ ବାଇଟ ଦେଇଥିଲେ ।

ଏହାପରେ ଯଦିଓ ୨୦୨୧ ମାର୍ଚ୍ଚ ୯ ତାରିଖରେ ତାଙ୍କୁ ଲିଙ୍ଗୁଇଷ୍ଟିକ୍ସରେ ପିଏଚଡି ଡିଗ୍ରି ଦିଆଯାଇଥିଲା, ହେଲେ ଏବେ ଏହାକୁ ଛଡେଇ ନେବାକୁ ବସିଛନ୍ତି କର୍ତ୍ତୃପକ୍ଷ । ଏହାର କାରଣ ଖୋଜିଥିଲେ ଦାନୀଶ । ତାଙ୍କର ମନେପଡିଥିଲା ଗତ ବର୍ଷର ଘଟଣା, ଯେତେବେଳେ ସେ ମୋଦୀଙ୍କ ପ୍ରଶଂସା କରିଥିଲେ । ତା ପରେ ଜନୈକ ବରିଷ୍ଠ ପ୍ରଫେସର ତାଙ୍କୁ ଡାକି କୌଣସି ରାଜନୈତିକ ଦଳ ଆଡକୁ ନଢଳିବାକୁ ତାଗିଦ ମଧ୍ୟ କରିଥିଲେ । ସେହି ଦିନରୁ ରହିଥିବା ଆକ୍ରୋଶ ଆଜି ଗୁରୁତର ରୂପ ନେଇଛି । ତାଙ୍କୁ ମାନସିକ ଦଣ୍ଡ ଦେଉଛନ୍ତି ୟୁନିଭର୍ସିଟି କର୍ତ୍ତୃପକ୍ଷ । ତାଙ୍କୁ ପିଏଚଡି ଡିଗ୍ରି ତୁରନ୍ତ ଫେରାଇବାକୁ କୁହାଯାଇଛି ।

ଏନେଇ ଦାନୀଶ ହାଇକୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଅପିଲ କରିଛନ୍ତି । କେବଳ ଏତିକି ନୁହେଁ ୟୂଜିସି ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନ୍ୟାୟ ପାଇଁ ଅପିଲ କରିଛନ୍ତି ।

 

ସମ୍ବନ୍ଧିତ ଖବର