ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଠିକ୍‌ ମାସେ ଥିବାବେଳେ ରାଜ୍ୟରେ ଏବେ ଆଉ ଏକ ନୂଆ ରାଜ‌ନୈତିକ ବିବାଦ ସୃଷ୍ଟି ହୋଇଛି। ଗୁଜରାଟର ଅମୁଲ୍‌ ବ୍ରାଣ୍ଡ୍‌ କ୍ଷୀର ରାଜ୍ୟରେ ପ୍ରବେଶକୁ ନେଇ ନୂଆ ବିବାଦ ଆରମ୍ଭ ‌ହୋଇଛି। କଂଗ୍ରେସ ଏବଂ ବିଜେପି ଅଭିଯୋଗ କରିଛନ୍ତି ଯେ ବିଜେପି ସମର୍ଥନରେ କର୍ଣ୍ଣାଟକକୁ ଅମୁଲର ପ୍ରବେଶ କର୍ଣ୍ଣାଟକ ମିଲ୍କ ଫେଡେରେସନ୍‌ (କେଏମଏଫ୍‌) ବ୍ରାଣ୍ଡ୍‌ ନନ୍ଦିନୀ ପାଇଁ ବିପଦ ହେବ। କଂଗ୍ରେସ ଏନେଇ ବିଜେପିକୁ ଆକ୍ରମଣ କରିବାପରେ ବିଜେପି ଏନେଇ ସ୍ପଷ୍ଟୀକରଣ ଦେଇଛି। କର୍ଣ୍ଣାଟକରେ ଅମୁଲ ପ୍ରବେଶ କରିନି ବୋଲି ବିଜେପି କହିଛି।

Advertisment

ବିଜେପି ରାଜ୍ୟର ଗୌରବକୁ ନଷ୍ଟ କରିଦେଉଛି ବୋଲି କଂଗ୍ରେସ ଅଭିଯୋଗ କରୁଛି। କିନ୍ତୁ ବିଜେପି କହିଛି କଂଗ୍ରେସ ଭୁଲ୍‌ ଖବର ପ୍ରସାର କରୁଛି। ବିରୋଧୀ ଦଳ ଅପେକ୍ଷା ବିଜେପି କର୍ଣ୍ଣାଟକ ମିଲ୍କ ଫେଡେରେସନ (କେଏମ୍‌ଏଫ୍‌)କୁ ସୁଦୃଢ଼ କରିବା ପାଇଁ ବିଶେଷ କିଛି କରିଛି। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି, ଅମୁଲ ପ୍ରଡକ୍ଟ ନକିଣିବା ପାଇଁ ସମସ୍ତ କନ୍ନଡ଼ ପ୍ରତିଜ୍ଞା କରିବା ଉଚିତ। ସିଦ୍ଦରମେୟା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି ଏକ ଟ୍ବିଟ୍‌ କରିଛନ୍ତି। ସିଦ୍ଦରମେୟା କହିଛନ୍ତି, ରବିବାର ଦିନ କିଏ କର୍ଣ୍ଣାଟକ ଆସିଥିଲା। ରାଜ୍ୟକୁ ଲୁଟିବା କ’ଣ ତାଙ୍କ ଗସ୍ତର ଉଦ୍ଦେଶ୍ୟ ଥିଲା। ସିଦ୍ଦରମେୟା କହିଛନ୍ତି, ଆମ ବନ୍ଦର, ବିମାନବନ୍ଦର ଗୁଜରାଟର ଆଦାନୀଙ୍କୁ ହସ୍ତାନ୍ତର କରାଗଲା।

ଏବେ ଗୁଜରାଟର ଅମୁଲ ଆମ ‌କେଏମ୍‌ଏଫ୍‌ (ନନ୍ଦିନୀ)କୁ ଖାଇଦେବାକୁ ବସିଛି। ନରେନ୍ଦ୍ର ମୋଦୀଜୀ ଆମେ କ’ଣ ଗୁଜରାଟର ଶତ୍ରୁ କି ବୋଲି ସିଦ୍ଦରମେୟା ପ୍ରଶ୍ନ କରିଛନ୍ତି। ତେବେ ସିଦ୍ଦରମେୟା ମୋଦୀଙ୍କୁ ସମାଲୋଚନା କରିବାପରେ ବିଜେପିର ଆଇଟି ବିଭାଗ ମୁଖ୍ୟ ଅମିତ ମାଲବୀୟ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, କର୍ଣ୍ଣାଟକରେ ଅମୁଲ ପ୍ରବେଶ କରିନି। ୨୦୧୯ରେ ବିଜେପି କ୍ଷମତାକୁ ଆସିବା ପରେ କେଏମ୍‌ଏଫ୍‌ର ଟର୍ନଓଭର୍‌ ୧୦ ହଜାର କୋଟି ବଢ଼ିଛି। ୨୦୨୨ରେ କେଏମ୍‌ଏଫ୍‌ର ଟର୍ନଓଭର ୨୫ ହଜାର କୋଟି ଥିଲା। ଏଥିରୁ ୨୦ ହଜାର କୋଟି ଟଙ୍କା ସିଧାସଳଖ କୃଷକଙ୍କ ପାଖକୁ ଯାଇଛି ବୋଲି ଅମିତ କହିଛନ୍ତି। ବିବାଦ ମଧ୍ୟରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଆଜି ହାସନ ସ୍ଥିତ ନନ୍ଦିନୀ ମିଲ୍କ ପାର୍ଲର ଗସ୍ତ କରିଛନ୍ତି। ଶିବକୁମାର କହିଛନ୍ତି, ଆମେ କର୍ଣ୍ଣାଟକ ମଡେଲ ଚାହୁ, ଗୁଜରାଟ ମଡେଲ ନୁହେଁ।