ଏଏନ୍‌-୩୨ବିମାନ ଦୁର୍ଘଟଣା: ୧୩ ଯାତ୍ରୀଙ୍କ ଶବ ଉଦ୍ଧାର

ମୃତକଙ୍କ ମଧ୍ୟରେ ଓଡ଼ିଆ ପାଇଲଟ୍‌ ସୁନିତ ମହାନ୍ତି ବ୍ଲାକ୍‌ ବକ୍ସ ମିଳିଲା

ଇଟାନଗର: ଅରୁଣାଚଳର ସିୟାଙ୍ଗ୍‌ ଜିଲ୍ଲାରେ ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ପରିବହନ ବିମାନ ଏଏନ୍‌-୩୨ରେ ଥିବା ସମସ୍ତ ୧୩ ଜଣଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ବିମାନର ଭଗ୍ନାବଶେଷ ନିକଟରେ ଆଜି ସେନାର ଉଦ୍ଧାରକାରୀ ଦଳ ପହଞ୍ଚି ୬ ଜଣ ବାୟୁସେନା ଅଧିକାରୀ ଏବଂ ୭ ଜଣ ଏୟାରମ୍ୟାନଙ୍କ୍‌ ଶବ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରେ ଓଡ଼ିଆ ପାଇଲଟ୍‌ ସୁନିତ ମହାନ୍ତି ଅଛନ୍ତି। ବିମାନର ବ୍ଲାକ୍‌ ବକ୍ସକୁ ମଧ୍ୟ ଠାବ କରିବାରେ ଉଦ୍ଧାରକାରୀ ଦଳ ସକ୍ଷମ ହୋଇଛନ୍ତି। ଆଜି ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଗମ ପାହାଡ଼ ଓ ଘଂଚ ଜଂଗଲ ଭିତରେ ବିମାନର ଭଗ୍ନାବଶେଷ ନିକଟରେ ପହଞ୍ଚିବା ବଡ଼ ଚ୍ୟାଲେଞ୍ଜ ଥିଲା। ଉଦ୍ଧାରକାରୀ ଦଳରେ ବାୟୁସେନା, ସ୍ଥଳସେନାର ଯବାନ ଏବଂ ପର୍ବତାରୋହୀମାନଙ୍କୁ ସାମିଲ କରାଯାଇଥିଲା। ଦୁର୍ଘଟଣାସ୍ଥଳରୁ ସମସ୍ତ ୧୩ ଜଣଙ୍କ ଶବକୁ ଅରୁଣାଚଳ ପ୍ରଦେଶରୁ ଆଣିବା ପାଇଁ ହେଲିକପ୍‌ଟର ନିୟୋଜିତ କରାଯାଇଛି।

ରହସ୍ୟମୟ ଦୁର୍ଘଟଣା
ଦୀର୍ଘ ୮ ଦିନର ବିଶାଳ ସର୍ଚ୍ଚ‌୍ ଅପରେସନ୍‌ ପରେ ବାୟୁସେନାର ପରିବହନ ବିମାନ ଏଏନ୍‌-୩୨ର ଭଗ୍ନାବଶେଷକୁ ୧୧ ତାରିଖ ଦିନ ଠାବ କରାଯାଇଥିଲା। ଅରୁଣାଚଳ ପ୍ରଦେଶର ପାହାଡ଼ ଘେର ଭିତରେ ଅତ୍ୟନ୍ତ ରହସ୍ୟଜନକ ଭାବେ ଏହି ଦୁର୍ଘଟଣା ଘଟିଥିଲା। ଜୁନ୍‌ ୩ରେ ଆସାମରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନ ନିଖୋଜ ହୋଇଯାଇଥିଲା। ପ୍ରଥମ ଦୁଇ ଦିନ ସର୍ଚ୍ଚ ଅଭିଯାନରେ ସଫଳତା ନ ମିଳିବାରୁ ଏହାକୁ ବ୍ୟାପକ କରାଯାଇଥିଲା। ବା‌ୟୁସେନା ହେଲିକପ୍‌ଟର ଏମ୍‌ଆଇ-୧୭ ଲିପୁ ପାର୍ବତ୍ୟାଞ୍ଚଳରେ ଏହାକୁ ଠାବ କରିଥିଲା।

ଏଏନ୍‌ ୩୨ବିମାନଟି ଅରୁଣାଚଳପ୍ର‌‌ଦେଶର ମେଚୁକା ଅଭିମୁଖେ ଯାତ୍ରା କରୁଥିଲା। ୩ ତାରିଖ ଅପରାହ୍ନ ୧ଟା ପରେ ବିମାନ ସହ ଆଉ ଯୋଗାଯୋଗ ହୋଇ ପାରିନଥିଲା। ସର୍ଚ୍ଚ ଅପରେସନ୍‌ ଟିମ୍‌ରେ ୧୫୦୦ ଯବାନ, ପୁଲିସ, ସ୍ଥାନୀୟ ଗ୍ରାମବାସୀ ସାମିଲ ହୋଇଥିଲେ। ଇସ୍ରୋର ୨ଟି ସାଟେଲାଇଟ୍‌ ମଧ୍ୟ ଏହି ଅପରେସନ୍‌ରେ ନିୟୋଜିତ ହୋଇଥିଲା।

ମୃତକମାନଙ୍କ ତାଲିକା
ଦୁର୍ଘଟଣାରେ ମୃତ ୧୩ ଜଣଙ୍କ ମଧ୍ୟରେ ୬ ଜଣ ଅଧିକାରୀ ଏବଂ ୭ ଜଣ ବାୟୁସେନା କର୍ମଚାରୀ ରହିଛନ୍ତି। ସେମାନେ ହେଲେ ୱିଙ୍ଗ୍‌ କମାଣ୍ଡାର ଜିଏମ୍‌ ଚାର୍ଲ୍ସ, ସ୍କାଡ୍ରନ୍‌ ଲିଡର ଏଚ୍‌. ବିନୋଦ, ଫ୍ଲାଇଟ୍‌ ଲେଫ୍‌ଟନାଣ୍ଟ ଆର୍‌. ଥାପା, ପ୍ଲାଇଟ୍‌ ଲେଫ୍‌ଟନାଣ୍ଟ ଏ ତମ୍ବର, ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ସୁନିତ ମହାନ୍ତି, ଏମ୍‌କେ ଗର୍ଗ, ୱାରଣ୍ଟ ଅଫିସର୍‌ କେ କେ ମିଶ୍ର, ସର୍ଜେଣ୍ଟ ଅନୁପ କୁମାର, କେ. ସେରିନ୍‌, ଏସ୍‌କେ ସିଂହ, ପଂକଜ କୁମାର, ପୁତ୍‌ଲି ଏବଂ ରାଜେଶ କୁମାର।

ସମ୍ବନ୍ଧିତ ଖବର