ୱାସିଂଟନ: ଟେକ୍ସାସର ଜଣେ ୧୭ ବର୍ଷର ବାଳକ କୁକୁର ଚଲାଇବାକୁ ନେଇ ୮ ବର୍ଷ ତଳେ ନିଖୋଜ ହୋଇଯାଇଥିଲା। ଶନିବାର ତା’ର ସନ୍ଧାନ ମିଳିଛି। ସେ ଏବେ ୨୫ ବର୍ଷର ଯୁବକ ଏବଂ ସୁସ୍ଥ ଅଛି ବୋଲି ଟେକ୍ସାସ ସେଣ୍ଟର ଫର୍ ମିସିଂ ପକ୍ଷରୁ କୁହାଯାଇଛି। ତାକୁ ଏବେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି କିନ୍ତୁ କେଉଁ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେ ବିଷୟରେ କିଛି ସୂଚନା ଦିଆଯାଇ ନାହିଁ। ଫାରିଆସ ରୁଡି ମାର୍ଚ୍ଚ ୬, ୨୦୧୫ରେ ଉତ୍ତରପଶ୍ଚିମ ହ୍ୟୁଷ୍ଟନରେ ନିଜ ଘର ନିକଟରେ ଦୁଇଟି କୁକୁରକୁ ଚଲାଇବାକୁ ନେଇଥିବା ବେଳେ ନିଖୋଜ ହୋଇଯାଇଥିଲା। କୁକୁର ଦୁଇଟି ବିନା ଗଳା-ବନ୍ଧନୀରେ ଘରକୁ ଫେରିଥିଲେ କିନ୍ତୁ ଫାରିଆସର କିଛି ସନ୍ଧାନ ମିଳି ନ ଥିଲା। ପରିବାର ପକ୍ଷରୁ କୁହାଯାଇଥିଲା ଯେ ଫାରିଆସ ମାନସିକ ଅବସାଦରେ ରହୁଥିଲା ଏବଂ ତା’ ଭାଇର ଏକ ମଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ତା’ର ମାନସିକ ଅବସାଦ ଆହୁରି ବଢ଼ିଯାଇଥିଲା। ଭାଇ ଥିଲା ତା’ର ସବୁଠାରୁ ଭଲ ବନ୍ଧୁ।