ସାଙ୍ଗର ଭଉଣୀଙ୍କୁ ଦୁର୍ବୃତ୍ତଙ୍କ ଠାରୁ ଉଦ୍ଧାର କରିବା ପାଇଁ ଟ୍ରେନର ୨୩୦କିମି ପର୍ଯ୍ୟନ୍ତ ପିଛା କରିଥିଲେ ଦୁଇବନ୍ଧୁ

ବାନ୍ଦା: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ବିସଣ୍ଡା ଥାନା ଅଞ୍ଚଳର ଜଣେ ମୁସଲମାନ ଯୁବକଙ୍କ ଭଉଣୀଙ୍କୁ ହିନ୍ଦୁ ସାଙ୍ଗ ଦୁର୍ବୃତ୍ତମାନଙ୍କ କବଳରୁ ଉଦ୍ଧାର କରିଥିବା ଘଟଣା ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ, ବିସଣ୍ଡା ଥାନା ପରିସରରେ ଥିବା ଗାଁର ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗାଁର କିଛି ଯୁବକ ବୁଲାଇବା ବାହାନାରେ ଅପହରଣ କରି  ନେଇଥିଲେ। ବାନ୍ଦା ରେଳ ଷ୍ଟେସନରୁ ତୁଳସୀ ଏକ୍ସପ୍ରେସ ଟ୍ରେନରେ ଚଢି ନାବାଳିକାଙ୍କୁ ଅନ୍ୟ ୪ ଜଣ ଯୁବକଙ୍କ ହସ୍ତାନ୍ତର କରିଦେଇଥିଲେ । ଏହି ୪ ଜଣ ଯୁବକ ନାବାଳିକାଙ୍କୁ ଟ୍ରେନରେ ମୁମ୍ବାଇ ନେଇ ଯାଉଥିଲେ ।

ସାଙ୍ଗର ଭଉଣୀ ନିଖୋଜ ହେବା ଶୁଣିବା ପରେ ଦୁଇଜଣ ବନ୍ଧୁ ଅତରା ରେଳ ଷ୍ଟେସନକୁ ଯାଇଥିଲେ । ବହୁ ଖୋଜାଖୋଜି ପରେ କୌଣସି ସୂତ୍ରରୁ ସୂଚନା ମିଳିଥିଲା କି ସାଙ୍ଗର ଭଉଣୀଙ୍କୁ ୪ଜଣ ଯୁବକ ତୁଳସୀ ଏକ୍ସପ୍ରେସର ୩ ନମ୍ବର କୋଚରେ ନେଇ ମୁମ୍ବାଇ ଫେରାର ହୋଇଯାଉଛନ୍ତି।
ଏହାପରେ ତୁରନ୍ତ ଭଉଣୀ ଅପହରଣ ହୋଇଥିବା ଭାଇର ସାଙ୍ଗମାନେ କାର ଯୋଗେ ଟ୍ରେନର ମହୋବା ପର୍ଯ୍ୟନ୍ତ ୨୫୦କିମି ପିଛା କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ପହଞ୍ଚିବା ପୂର୍ବରୁ ଟ୍ରେନଟି ସେ ସ୍ଥାନ ଛାଡ଼ି ଦେଇଥିଲା।

କିଛି ଉପାୟ ନପାଇ ସଙ୍ଗେ ସଙ୍ଗେ ମହୋବା ଜିଆରପିରୁ ସାହାଯ୍ୟ ଲୋଡିଥିଲେ ଦୁହେଁ । ମହୋବା ଜିଆରପି ଝାନସୀ ଜିଆରପିକୁ ସୂଚନା ଦେଇଥିଲା। ଝାନସୀ ଜିଆରପି ଟ୍ରେନ ଅଟକିବା ପରେ ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ହେଁ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଯୁବକ ଖସି ପଳାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର