ହାଓ୍ବଡ଼ା: ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ହାୱଡ଼ାସ୍ଥିତ ଉଲୁବେରିଆ ଅଞ୍ଚଳର ତଣ୍ଟିବେରିଆ ଗ୍ରାମର ୪ଟି ଘରେ ରଖାଯାଇଥିବା ବାରୁଦରେ ବିସ୍ଫୋରଣ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବାଣ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ବିପୁଳ ପରିମାଣର ବାରୁଦ ଏହି ୪ଟି ଘରେ ଗଚ୍ଛିତ ରହିଥିଲା । ସେଗୁଡ଼ିକରେ କୌଣସି କାରଣରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । 

Advertisment

ପ୍ରାରମ୍ଭିକ ତଦନ୍ତ ଅନୁସାରେ ପ୍ରଥମେ ଏକ ଘରେ ରଖାଯାଇଥିବା ବାରୁଦ ବିସ୍ଫୋରଣ ହୋଇଥିଲା। ଏହାପରେ ଅନ୍ୟ ୩ଟି ଘରକୁ ନିଆଁ ବ୍ୟାପିବା ପରେ ସେଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣରେ ଘରର ଝରକା ଭାଙ୍ଗି ଯାଇଛି। କବାଟ ମଧ୍ୟ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହି ସମୟରେ ସେହି ଘରେ କେହି ନଥିବାରୁ କେହି ଆହତ ହୋଇନାହାନ୍ତି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି । ଏଥିରେ ଗଚ୍ଛିତ ଥିବା ଘର ଓ ବାରୁଦ ତାଙ୍କର ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦୀପାବଳି ଉପଲକ୍ଷେ ଉଲୁବେରିଆରେ ବାଣ ଫୁଟାଇବା ବେଳେ ଘରେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲେ। ପିଲାମାନେ ଘରେ ବାଣ ଫୁଟାଉଥିଲେ। ବାଣରୁ ନିଆଁ ଲାଗିଯାଇଥିଲା, ଯାହା ଦ୍ରୁତ ଗତିରେ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡରେ ନିକଟସ୍ଥ ଏକ ଦୋକାନ ମଧ୍ୟ ଜଳି ଯାଇଥିଲା।