ସିଙ୍ଗାପୁର : ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଥର୍ମନ୍ ଶାନମୁଗାରତ୍ନମ୍ ବିଜୟୀ ହୋଇଛନ୍ତି। ସିଙ୍ଗାପୁର ନିର୍ବାଚନ ବିଭାଗ ପକ୍ଷରୁ ଶନିବାର ଘୋଷଣା କରାଯାଇଛି ଯେ ସେ ୭୦.୪ ପ୍ରତିଶତ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ପୂର୍ବରୁ ସିଂଗାପୁରରେ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି ।
ଗତ ମାସରେ ଥର୍ମନ୍ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ସିଙ୍ଗାପୁରର ସଂସ୍କୃତିର ବିକାଶ କରିବା ସହ ଏହାକୁ ବିଶ୍ୱରେ ଏକ ଉଜ୍ଜ୍ୱଳ ତାରକା ଭାବେ ରଖିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ସେପ୍ଟେମ୍ବର ୧୩ରେ ବର୍ତ୍ତମାନର ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ଶେଷ ହେଉଛି ।
ସିଙ୍ଗାପୁରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ କଠୋର ଯୋଗ୍ୟତା ପ୍ରକ୍ରିୟା ରହିଛି। ସିଙ୍ଗାପୁରରେ କଠୋର ମାନଦଣ୍ଡକୁ ପାଳନ କରି ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୟନ କରାଯାଇଥାଏ । ଏଥର ଏହି ମାନଦଣ୍ଡ ପାଳନ କରି ଥର୍ମନଙ୍କ ସମେତ ତିନି ଜଣ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ କରାଯାଇଥିଲା ।
୨୦୦୧ ରେ ରାଜନୀତିରେ ଯୋଗ ଦେବା ପୂର୍ବରୁ ଥର୍ମାନ୍ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣରେ ଜଣେ ଅର୍ଥନୀତିଜ୍ଞ ଏବଂ ଜଣେ ସରକାରୀ କର୍ମଚାରୀ ଥିଲେ । ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ସେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ଉପ-ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ୱ ଅର୍ଥନୈତିକ ଫୋରମ ଏବଂ ଜାତିସଂଘ ସମେତ ଅନେକ ବିଶ୍ୱସ୍ତରୀୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି ।