ଜ୍ଞାନବାପି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ଅନ୍ତରୀଣ ଆଦେଶ: ଶୁଣାଣି କରିବେ ଜିଲ୍ଲା ଜଜ୍‌, ପୂର୍ବ ଆଦେଶ କାଏମ

ଜୁଲାଇ ଦ୍ବିତୀୟ ସପ୍ତାହରେ ସୁପ୍ରିମ୍‌ କୋର୍ଟରେ ପରବର୍ତ୍ତୀ ଶୁଣାଣି
ଶିବଲିଙ୍ଗ ଥିବା ଅଞ୍ଚଳ ସିଲ୍‌ ରହିବ
ୱଜୁ ପାଇଁ ବିକଳ୍ପ ବ୍ୟବସ୍ଥା ହେବ

ନୂଆଦିଲ୍ଲୀ : ବାରଣାସୀର ଜ୍ଞାନବାପି ମସ୍‌ଜିଦ ମାମଲାରେ ସୁପ୍ରିମ୍‌ କୋର୍ଟରେ ଶୁକ୍ରବାର ଦିନ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି । ସୁପ୍ରିମ୍‌ କୋର୍ଟ ଏହି ମାମଲାକୁ ଜିଲ୍ଲା ଜଜ୍‌ଙ୍କ ଅଦାଲତକୁ ସ୍ଥାନାନ୍ତର କରିଛନ୍ତି। ଏଣିକି ଏହି ମାମଲାର ଶୁଣାଣି ବାରଣାସୀ ଜିଲ୍ଲା ଜଜ୍‌ କରିବେ ଏବଂ ଜୁଲାଇ ଦ୍ବିତୀୟ ସପ୍ତାହରେ ସୁପ୍ରିମ୍‌ କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ। ଏହି ସମୟ ମଧ୍ୟରେ ସୁପ୍ରିମ୍‌ କୋର୍ଟ ପୂର୍ବରୁ (ମେ ୧୭ରେ) ଦେଇଥିବା ଅନ୍ତରୀଣ ଆଦେଶ ବଳବତ୍ତର ରହିବ। ମସ୍‌ଜିଦ ପରିସରରେ ଥିବା ଶିବଲିଙ୍ଗ ଅଂଚଳକୁ ସିଲ୍‌ କରି ସୁରକ୍ଷିତ ରଖାଯିବ ଏବଂ ନମାଜ ପାଠ ନିମନ୍ତେ ୱଜୁ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ମୁସ୍‌ଲିମ ପକ୍ଷ ଓକିଲ ଯୁକ୍ତି କରିଥିଲେ ଯେ ପୂଜାସ୍ଥଳରେ ଧାର୍ମିକ ଚରିତ୍ରକୁ ନ ବଦଳାଇବା ପାଇଁ ସ୍ପଷ୍ଟ ଭାବେ ଆଇନରେ ଉଲ୍ଲେଖ ରହିଛି। ଏଥିପାଇଁ ପୂର୍ବରୁ କମିସନ ଗଠନ କରି ଆଇନ ତିଆରି ହୋଇଥିବାରୁ ଜ୍ଞାନବାପିର ଧାର୍ମିକ ଚରିତ୍ରକୁ ବଦଳାଇ ହେବନାହିଁ ବୋଲି ସେ ଯୁକ୍ତି ରଖିଥିଲେ। ମୁସ୍‌ଲିମ ପକ୍ଷର ଏହି ଦଲିଲକୁ ଶୁଣିବା ପରେ ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ କୌଣସି ସ୍ଥାନର ଧାର୍ମିକ ଚରିତ୍ର ନିର୍ଦ୍ଧାରଣ କରିବାକୁ ଏଥିରେ ବାରଣ କରାଯାଇନାହିଁ।

ଅନ୍ୟପକ୍ଷରେ ଜ୍ଞାନବାପି ମସ୍‌ଜିଦର ସର୍ଭେ ରିପୋର୍ଟ ଲିକ୍‌ ହୋଇଥିବାରୁ ସୁପ୍ରିମ୍‌ କୋର୍ଟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ୍‌ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ କହିଛନ୍ତି ଯେ ରିପୋର୍ଟ ପ୍ରଘଟ ହେବା ଉଚିତ ନଥିଲା ଏବଂ ଏହା କେବଳ ବିଚାରପତିଙ୍କ ନିକଟରେ ଦାଖଲ ପାଇଁ ଉଦ୍ଦିଷ୍ଟ ଥିଲା । ଏହି ମାମଲାରେ ଶାନ୍ତି ଓ ସନ୍ତୁଳନ ବଜାୟ ରଖିବା ଅତି ଜରୁରୀ ଏବଂ ଏଥିପାଇଁ ସମ୍ବେଦନାର ସହ କାର୍ଯ୍ୟ କରିବାକୁ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଭାଇଚାରା ଏବଂ ଶାନ୍ତି କାଏମ ରହିବା ଆମ ପାଇଁ ସର୍ବାଧିକ ପ୍ରାଥମିକତା ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି। ଜିଲ୍ଲା କୋର୍ଟରେ ହିଁ ମୁସ୍‌ଲିମ ପକ୍ଷର ଆବେଦନ ଏବଂ ୧୯୯୧ ଉପାସନା ସ୍ଥଳ ଆଇନ ଉଲ୍ଲଂଘନ ଆବେଦନର ଶୁଣାଣି ହେବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ। ଟ୍ରାଏଲ କୋର୍ଟରେ ଏହାର ଶୁଣାଣିକୁ ଆମେ ରୋକିପାରିବୁ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ହିନ୍ଦୁ ପକ୍ଷର ବରିଷ୍ଠ ଓକିଲ ବୈଦ୍ୟନାଥ କହିଥିଲେ ଯେ ଆମେ ବିଚାରପତିଙ୍କ ବିବେକ ଉପରେ କୌଣସି ଚାପ ବା ଅଙ୍କୁଶ ଚାହିବୁ ନାହିଁ।

ସୂଚନାଯୋଗ୍ୟ, କୋର୍ଟ କମିସନରଙ୍କ ଦ୍ବାରା ସର୍ଭେ ସମୟରେ ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ଶିବଲିଙ୍ଗ ଠାବ ହେବା ଏବଂ ହିନ୍ଦୁ ଦେବଦେବୀଙ୍କ କଳାକୃତି ମିଳିବା ପରେ ଏହି ମାମଲାକୁ ନେଇ ବିବାଦୀୟ ସ୍ଥିତି ଲାଗି ରହିଛି। ସୁପ୍ରିମ୍‌ କୋର୍ଟ ମେ ୧୭ ତାରିଖ ଆଦେଶରେ ଶିବଲିଙ୍ଗକୁ ସୁରକ୍ଷିତ ରଖିବା ସହ ନମାଜ ପାଠ ପାଇଁ ଅନୁମତି ଦେବାକୁ କହିଥିଲେ। ତେବେ ଏହା ୧୯୯୧ ଉପାସନା ସ୍ଥଳ ଆଇନର ଉଲ୍ଲଂଘନ କରୁଥିବା ଦର୍ଶାଇ ମୁସ୍‌ଲିମ ପକ୍ଷ କୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର