ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ଭାଲରେ ହିଂସା ପରେ ଆସନ୍ତା ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାଲର ଜିଲ୍ଲାପାଳଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପାଇଁ କେବଳ ସମ୍ଭାଲ ତହସିଲରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ସେପଟେ ପୁଲିସ କହିଛି ଯେ ଏହି ହିଂସା ପାଇଁ ପୂର୍ବରୁ ଷଡ଼ଯନ୍ତ୍ର କରାଯାଇଥିଲା ।
ସେପଟେ ଏହି ହିଂସା ସଂପର୍କରେ ପୁଲିସ କହିଛି ଯେ ଏହି ହିଂସା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା । ପୁଲିସକୁ ଆକ୍ରମଣ କରିବାକୁ ଛାତ ଉପରେ ପଥର ଗଦା କରି ରଖାଯାଇଥିଲା । ଏହି ପଥରମାଡ଼ରେ ଅନେକ ପୁଲସ କର୍ମୀ ଆହତ ହୋଇଛନ୍ତି ।
ମୁରାଦାବାଦର କମିଶନର ଅଞ୍ଜନେୟ କୁମାର ସିଂହଙ୍କ କହିବା ଅନୁଯାୟୀ, ଜାମା ମସଜିଦ ସର୍ଭେ ସମୟରେ ଘଟିଥିବା ହିଂସାକାଣ୍ଡରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମସ୍ତେ ସମ୍ଭାଲର ବାସିନ୍ଦା। ଏହି ହିଂସାକାଣ୍ଡରେ ଏସଡିଏମଙ୍କ ଗୋଡ଼ରେ ଆଘାତ ଲାଗିଥିବା ସେ ଉଲ୍ଲେଖ କରିଛନ୍ତି। ସେହିପରି ସିଓ ସଦର ଅନୁଜ ଚୌଧୁରୀ ଓ ଏସପି ସମ୍ଭାଲଙ୍କ ପିଆରଓଙ୍କ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୨୫ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିବା କମିଶନରଙ୍କ ସୂଚନା ମିଳିଛି।
ସେ କହିଛନ୍ତି ଯେ ସ୍ଥାନୀୟ ଅଂଚଳରେ ଥିବା କେତେକ ଘରର ଛାତରୁ ଗୁଳିମାଡ଼ ହୋଇଥିଲା, ଯେଉଁଥିରେ ଉକ୍ତ ତିନିଜଣ ମୃତ୍ୟୁବରଣ କରିଥିଲେ। କିନ୍ତୁ ଭୀଡ ଉପରକୁ ପୁଲିସ କେବଳ ପ୍ଲାଷ୍ଟିକ ଗୁଳି ଚଳାଇଥିଲା ।