ଯୋଧପୁର: ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ପ୍ରବାସୀ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ସମସ୍ତଙ୍କ ମୃତଦେହ ଏକ ଚାଷଜମିରୁ ମିଳିଛି। ଏହି ପରିବାରର ଜଣେ ମାତ୍ର ସଦସ୍ୟ ଜୀବିତ ଥିବା ଜଣାପଡ଼ିଛି। ଉକ୍ତ ପାକିସ୍ତାନୀ ହିନ୍ଦୁ ପରିବାର ଡେଚୁ ଅଞ୍ଚଳସ୍ଥିତ ଲୋଡ୍ତା ଗ୍ରାମରେ ରହୁଥିଲେ। ଏସ୍ପି ରାହୁଲ୍ ବାରହାଟ୍ଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ଏହି ଘଟଣା ଘଟିଛି। ୧୧ ଜଣଙ୍କ ମୃତଦେହ ଚାଷଜମିରେ ବିକ୍ଷିପ୍ତ ଭାବେ ପଡ଼ିଥିଲା ବୋଲି ସେ କହିଛନ୍ତି।
ପରିବାରର ଜଣେ ମାତ୍ର ସଦସ୍ୟ ଜୀବିତ ଅଛନ୍ତି ଏବଂ ସେ ତାଙ୍କ ଘରେ ଅଛନ୍ତି। କିନ୍ତୁ ଉକ୍ତ ବ୍ୟକ୍ତି ଜଣଙ୍କ ଘଟଣା ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି। ମୃତ୍ୟୁର ପ୍ରକୃତ କାରଣ କ'ଣ ଜଣାପଡ଼ିନି। ସମସ୍ତ ସଦସ୍ୟ ଗତ ରାତିରେ କୌଣସି ରସାୟନ ପିଇ ଆତ୍ମହତ୍ୟା କରିଦେଇଥିବା କୁହାଯାଉଛି। ଉକ୍ତ ୧୧ ଜଣ ପାକିସ୍ତାନର ଭିଲ୍ ସମ୍ପ୍ରଦାୟର ହିନ୍ଦୁ ପ୍ରବାସୀ। ମୃତକଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ତଦନ୍ତ ତ୍ବରାନ୍ବିତ କରିବା ପାଇଁ ଏକ ଡଗ୍ ସ୍କ୍ବାଡ୍ ଏବଂ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବେ। ପ୍ରାରମ୍ଭିକ ତଦନ୍ତରୁ ଏହା ଜଣାପଡ଼ିଛି ଯେ, ପରିବାରରେ କିଛି ବିବାଦରୁ ଏଭଳି ସମୂହ ଆତ୍ମହତ୍ୟା ଘଟଣା ଘଟିଛି। ଘରୋଇ ବିବାଦ ଏହି ଗଣଆତ୍ମହତ୍ୟାର କାରଣ ବୋଲି ସଂଦେହ କରାଯାଉଛି।