କାଠମାଣ୍ଡୁ: ନେପାଳର ରାଜନୈତିକ ଇତିହାସରେ ଆଜି ଅଭୂତପୂର୍ବ ଘଟଣା ଦେଖିବାକୁ ମିଳିଛି।  ସରକାର ଓ ବ୍ୟବସ୍ଥା ବିରୋଧରେ ଜେନ୍-ଜେଡ୍ (ଯୁବଗୋଷ୍ଠୀ)ର ପ୍ରଦର୍ଶନ ଭୟାନକ ହିଂସାର ରୂପ ନେବା ପରେ  ମଙ୍ଗଳବାର କେପି ଶର୍ମା ଓଲିଙ୍କ ସରକାରର ପତନ ଘଟିଥିଲା ଏବଂ ଏହାର ୩ ଦିନ ପରେ ଆଜି ଅନ୍ତରୀଣ ସରକାର ଗଠନ ହୋଇଛି। ସେନା ଓ ଜେନ୍‌-ଜେଡ୍‌ ମଧ୍ୟରେ ନେତୃତ୍ବକୁ ନେଇ ଲାଗି ରହିଥିବା ଅସହମତି ଦୂର ହେବାପରେ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ ଆଜି ରାତିରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସୁଶୀଳାଙ୍କୁ ଶପଥ ପାଠ କରାଇଛନ୍ତି। ଏହା ସହ ସୁଶୀଳା ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି। 

Advertisment

ରାଷ୍ଟ୍ରପତି ଭବନରେ ଶପଥ ନେଲେ, ସଂସଦ ଭଙ୍ଗ
ସେନା-ଜେନ୍‌ ଜେଡ୍‌ ବୈଠକରେ ଅନ୍ତରୀଣ ସରକାର ପାଇଁ ସହମତି 

ଦେଶରେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସୁଶୀଳା ଏହି ଅନ୍ତରୀଣ ସରକାରର ନେତୃତ୍ବ ନେବେ। ସମ୍ବିଧାନରେ ବଡ଼ଧରଣର ପରିବର୍ତ୍ତନ ପାଇଁ ଜେନ୍‌ ଜେଡ୍‌ର ଦାବି ଅନ୍ତରୀଣ ସରକାର ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।  ରାଷ୍ଟ୍ରପତି ଆଜି ସଂସଦ ଭଙ୍ଗ କରିଛନ୍ତି ଏବଂ ଶାସନ ପରିଚାଳନା ଭାର ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କୁ ନ୍ୟସ୍ତ କରିଛନ୍ତି। ସୁଶୀଳା କାର୍କୀ ନେପାଳର ପ୍ରଥମ ମହିଳା ପ୍ରଧାନ ବିଚାରପତି ଥିଲେ ଏବଂ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ସେ ଭାରତରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଛନ୍ତି ଏବଂ ଭାରତର ସଶକ୍ତ ନେତୃତ୍ବ ଓ ନେପାଳ ପ୍ରତି ସହଯୋଗ ପାଇଁ ବିଭିନ୍ନ ସମୟରେ ପ୍ରଶଂସା କରିଥିବା ନଜିର ରହିଛି। ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ପାଇଁ ସୁଶୀଳା ଯୁବବର୍ଗଙ୍କ ମଧ୍ୟରେ ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି।

ସୁଶୀଳା ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକରେ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ସୁପାରିସ କରିବେ ବୋଲି ଜଣାପଡ଼ିଛି। ନେପାଳ  ସମ୍ବିଧାନର ଧାରା ୨୭୩ ଅନୁଯାୟୀ  ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ, ସଶସ୍ତ୍ର ବିଦ୍ରୋହ କିମ୍ବା ଅନ୍ୟାନ୍ୟ ଜଟିଳ ସଙ୍କଟଜନକ ପରିସ୍ଥିତିରେ ଦେଶ ସର୍ବାଧିକ ୬ ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବ। ଆଜି ସୁଶୀଳା ନେତା ଭାବେ ଚୟନ ହେବା ପରେ  ଜେନ୍‌ ଜେଡ୍‌ ନେତା ସୁଦାନ ଗୁରୁଙ୍ଗ କହିଛନ୍ତି, ସମ୍ବିଧାନରେ ସଂଶୋଧନ ଅଣାଯାଇ ଦୁର୍ନୀତିକୁ ରୋକିବା ପାଇଁ ଅତି କଠୋର ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ସମସ୍ତଙ୍କ କଲ୍ୟାଣ ପାଇଁ ସରକାର ନିଷ୍ଠାର ସହ କାମ କରିବ ବୋଲି ଜେନ୍‌ ଜେଡ୍‌ ଆଶା ରଖିଛି।