ଇଣ୍ଡୋନେସିଆରେ ଅଗ୍ନି ଉଦଗୀରଣ, ଅଧ କିଲୋମିଟର ଉଚ୍ଚକୁ ଉଠିଲା ଗରମ ପାଉଁଶ

ଜାକାର୍ତ୍ତା : କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ଆତଙ୍କିତ ଥ#ବାବେଳେ ଇଣ୍ଡୋନେସିଆରେ ଏକ ବୃହତ ଅଗ୍ନି ଉଦଗୀରଣ ହୋଇଛି । ଏହି ଆଗ୍ନେୟ ଉଦଗୀରଣ ଫଳରେ ପ୍ରାୟ ଅଧ କିଲୋମିଟର ଉଚ୍ଚତାକୁ ତତଲା ପାଉଁଶ ଓ ବିଷାକ୍ତ ଧୂଆଁ ନିର୍ଗତ ହେଉଛି ।
ଇଣ୍ଡୋନେସିଆ ସରକାରଙ୍କ ସୁତ୍ରରୁ ଜଣାପଡ଼ିଛି ଯେ ଦେଶର ସବୁଠାରୁ ସକ୍ରିୟ ଆଗ୍ନେୟ ଗିରି ଅନକ କ୍ରାକାଟାଉରୁ ଶୁକ୍ରବାରଦିନ ରାତିରେ ଏହି ଉଦଗୀରଣ ଦୁଇଥର ହୋଇଥିଲା । ମୋଟ ପ୍ରାୟ ୪୦ ମିନିଟ ଧରି ଏହି ଅଗ୍ନି ଉଦଗୀରଣ ଚାଲିଥିଲା ବୋଲି ଇଣ୍ଡୋନେସିଆର ସେଣ୍ଟର ଫର ଭଲକାନୋଲୋଜୀ ଏଣ୍ଡ ଜିଓଲଜିକାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ।

 

ତେବେ ଏହି ଅଗ୍ନି ଉଦଗୀରଣ ଦ୍ୱାରା କୌଣସି ଧନଜୀବନ ହାନୀ ହୋଇନଥିବା ଜଣାଯାଇଛି । କାରଣ ଏହା ଇଣ୍ଡୋନେସିଆର ଏକ ଜନଶୂନ୍ୟ ଦ୍ୱୀପ ସୁନ୍ଦା ଷ୍ଟ୍ରେଟରେ ଅବସ୍ଥିତ । ପ୍ରାୟ ୯୦ ବର୍ଷ ତଳେ ଏହି ଆଗ୍ନେୟଗିରି ସମୁଦ୍ର ମଧ୍ୟରୁ ଆତ୍ମପ୍ରକାଶ କରିଥିଲା । ଏହା ସମୁଦ୍ର ମଧ୍ୟରୁ ବାହାରି ଏବେ ସମୁଦ୍ର ପତନରୁ ପ୍ରାୟ ୩ ଶହ ମିଟର ଉତ୍ତରେ ରହିଛି ।
ଗତ ୨୦୧୮, ଡିସେମ୍ବର ୨୨ରେ ଅନକ କ୍ରାକୋଟୋଆରୁ ଅଗ୍ନି ଉଦଗୀରଣ ହେବାରୁ ଇଣ୍ଡୋନେସିଆରେ ସୁନାମୀ ଆସିଥିଲା । ଏହା ଫଳରେ ଶହ ଶହ ଲୋକ ପ୍ରାଣ ହରେଇଥିଲେ ।

ସମ୍ବନ୍ଧିତ ଖବର