ନୂଆଦିଲ୍ଲୀ:  ହରିୟାଣା ଏବଂ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଆସିଛି। ସେ  କହିଛନ୍ତି  ହରିୟାଣାର କଂଗ୍ରେସ କର୍ମୀ ବାଘ ଭଳି କାର୍ଯ୍ୟ କରିଛନ୍ତି। ଏନେଇ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜମ୍ମୁ-କଶ୍ମୀରରେ  ନ୍ୟାସନାଲ କନଫରେନ୍ସ(ଏନସି) ସହିତ କଂଗ୍ରେସର ମେଣ୍ଟ ଚମତ୍କାର ପ୍ରଦର୍ଶନ କରିଥିଲା।

Advertisment

ଏ ସମ୍ପର୍କରେ କଂଗ୍ରେସ ସାଂସଦ କହିଛନ୍ତି, ଜମ୍ମୁ-କଶ୍ମୀରବାସୀଙ୍କୁ ହୃଦୟରୁ ମୁଁ ଧନ୍ୟବାଦ ଜଣାଉଛି। ରାଜ୍ୟରେ ଇଣ୍ଡିଆ ମେଣ୍ଟର  ବିଜୟ ହେଉଛି ସମ୍ବିଧାନର ବିଜୟ। ଏହା ଗଣତାନ୍ତ୍ରିକ ଆତ୍ମ ସମ୍ମାନର ବିଜୟ।

ଏଥର ହରିୟାଣାରେ କୃଷକ ଓ କୁସ୍ତି ପ୍ରସଙ୍ଗରେ ୧୦ବର୍ଷ ପରେ କ୍ଷମତାକୁ ଫେରିବାକୁ କଂଗ୍ରେସ ଆଶା କରିଥିଲା, କିନ୍ତୁ ତାହା ହୋଇ ନ ଥିଲା। ହରିୟାଣାରେ ହ୍ୟାଟ୍ରିକ୍ ବିଜୟ କରି ବିଜେପି ଏକ ବଡ଼ ବିଜୟ ହାସଲ କରିଛି। ହରିୟାଣାରେ କଂଗ୍ରେସର ପରାଜୟ ଉପରେ ଦଳର ନେତା ରାହୁଲ ଗାନ୍ଧୀ ଫଳାଫଳକୁ ବିଶ୍ଳେଷଣ କରିବା ବିଷୟରେ କହିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଆମେ ହରିୟାଣାର ଅପ୍ରତ୍ୟାଶିତ ଫଳାଫଳକୁ ବିଶ୍ଳେଷଣ କରୁଛୁ। ବହୁ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିବା ଅଭିଯୋଗ ସମ୍ପର୍କରେ ଆମେ ନିର୍ବାଚନ ଆୟୋଗଙ୍କୁ ଜଣାଇବୁ।  ହରିୟାଣାର ସମସ୍ତ ଲୋକଙ୍କୁ ସମର୍ଥନ ପାଇଁ ଏବଂ ଆମର ବାଘ ଭଳି ଲଢ଼ିଥିବା‌ କର୍ମୀଙ୍କୁ ଧନ୍ୟବାଦ ଜଣାଉଛୁ।  ଆମେ ଅଧିକାର, ସାମାଜିକ ତଥା ଅର୍ଥନୈତିକ ନ୍ୟାୟ ପାଇଁ ଏହି ସଂଗ୍ରାମ ଜାରି ରଖିବୁ ଏବଂ ଆପଣଙ୍କ ସ୍ୱର ଉତ୍ତୋଳନ ଜାରି ରଖିବୁ।

ଏନସି)ଜମ୍ମୁ-କଶ୍ମୀରର ୪୨ଟି ସିଟ୍ ବିଶିଷ୍ଟ ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଏହାର ସହଯୋଗୀ ପାର୍ଟି କଂଗ୍ରେସ ୬ଟି ସିଟ୍  ସହିତ ୟୁନିଅନ୍ ଟେରିଟୋରୀରେ ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛି। ଜମ୍ମୁ-କଶ୍ମୀର ନିର୍ବାଚନରେ ​​କଂଗ୍ରେସର ପ୍ରଦର୍ଶନ ସେତେଟା ଭଲ ନାହିଁ ।  କାରଣ ଜମ୍ମୁ ଅଞ୍ଚଳରେ ଏହା କେବଳ ଗୋଟିଏ ଆସନ ପାଇଛି।

ଲୋକସଭା ନିର୍ବାଚନ ପରେ ପୂର୍ବାନୁମାନ କରାଯାଉଥିଲା ଯେ ଏଥର ହରିୟାଣାରେ କଂଗ୍ରେସ ସରକାର ଗଠନ କରିବ।  କିନ୍ତୁ ନିର୍ବାଚନ ଫଳାଫଳ ପୁଣି ଥରେ କଂଗ୍ରେସର ଆଶାକୁ ଧୁଳିସାତ୍ କରିଦେଇଛି। ହରିୟାଣାରେ ପରାଜୟ ପରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ଭଳି ରାଜ୍ୟରେ ସହଯୋଗୀମାନଙ୍କ ସହ ଆସନ ସମନ୍ୱୟରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇପାରେ ବୋଲି ରାଜନୈତିକ  ସମୀକ୍ଷକ ମତପୋଷଣ କରିଛନ୍ତି। ନଭେମ୍ବରରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି।