କୌଣସି ମହିଳାଙ୍କ ପିଠିକୁ ଥାପୁଡାଇବା ଅଶୋଭନୀୟ ଆଚରଣ କି? କିଛି ଏଭଳି କହି ଦିନେ ନିଜ ଶିଷ୍ୟଙ୍କର ସମର୍ଥନ କରିଥିଲେ ନରେନ୍ଦ୍ର ଗିରି

ନୂଆଦିଲ୍ଲୀ: ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟାକୁ ନେଇ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରାଯାଇଛି। ତେବେ ପୁଲିସର ପଚରାଉଚରା ବେଳେ ଆନନ୍ଦ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରି ଉଚିତ ତଦନ୍ତ ଦାବି କରିଛନ୍ତି। ଏଥିସହ ତାଙ୍କ ଗୁରୁଙ୍କୁ ହତ୍ୟା କରାଯାଇଛି ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜବତ ହୋଇଥିବା ଆତ୍ମହତ୍ୟା ନୋଟରେ ମହନ୍ତ ନରେନ୍ଦ୍ର ଗିରି, ଆନନ୍ଦ ଗିରିଙ୍କ ନାମ ଉଲ୍ଲେଖ କରିଛନ୍ତି | ଆନନ୍ଦ ତାଙ୍କୁ ମାନସିକ ଭାବେ ନିର୍ଯ୍ୟାତନା ଦେଉଥିବାର ଲେଖିଛନ୍ତି | ତେବେ ଏବେ ଏହା ପ୍ରଥମ ଥର ନୁହେଁ ଯେ ଆନନ୍ଦ ଗିରି ଗିରଫ ହୋଇଛନ୍ତି | ଏହା ପୂର୍ବରୁ ୨୦୧୯ରେ ତାଙ୍କୁ ଅଷ୍ଟ୍ରେଲିଆରେ ଗିରଫ କରାଯାଇଥିଲା। ଜଣେ ୨୯ ବର୍ଷୀୟ ମହିଳା ଓ ୩୪ ବର୍ଷୀୟ ମହିଳା ତାଙ୍କ ନାମରେ ଅଶୋଭନୀୟ ଆଚରଣ ଭଳି ଅଭିଯୋଗ ଆଣିଥିଲେ |

ସୂଚନା ମୁତାବକ ୨୦୧୯ ମସିହାରେ ଆନନ୍ଦ ଗିରି ଅଷ୍ଟ୍ରେଲିଆର ସିଡନୀ ଯାଇଥିଲେ। ଆଉ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା | ୨୦୧୬ ଓ ୨୦୧୮ ମସିହାରେ ଘଟିଥିବା ଦୁଇଟି ଘଟଣାକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା | ଅଭିଯୋଗ ଅନୁଯାୟୀ, ପ୍ରଥମ ଘଟଣା ୨୦୧୬ ମସିହାରେ ଘଟିଥିଲା | ଯେତେବେଳେ ସେ ଅଷ୍ଟ୍ରେଲିଆର ରୁଟି ହିଲ୍ ଅଞ୍ଚଳର ଏକ ଘରେ ଆୟୋଜିତ ପ୍ରାର୍ଥନାରେ ଯୋଗ ଦେବାକୁ ଯାଇଥିଲେ। ଅଭିଯୋଗ ହୋଇଥିଲା ଯେ ସେଠାରେ ସେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ଭେଟି ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିଲେ। ଦ୍ୱିତୀୟ ଘଟଣା ମଧ୍ୟ ରୁଟି ହିଲ୍ ଅଞ୍ଚଳରେ ଘଟିଥିଲା ​​ଯେତେବେଳେ ନଭେମ୍ବର ୨୦୧୮ରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଅଶୋଭନୀୟ ଆଚରଣର ଅଭିଯୋଗ ଆସିଥିଲା |

ସେହି ସମୟରେ ତାଙ୍କ ଗୁରୁ ମହନ୍ତ ନରେନ୍ଦ୍ର ଗିରି ଶିଷ୍ୟ ଆନନ୍ଦ ସପକ୍ଷରେ କହିଥିଲେ ଯେ ପିଠି ଥାପୁଡାଇ ଆଶୀର୍ବାଦ ଦେବାକୁ ଅଶୋଭନୀୟ ଆଚରଣ ଭାବରେ ବିବେଚନା କରାଯାଇ ତାଙ୍କୁ ଗିରଫ କରାଯାଇଛି। ଆନନ୍ଦ ଗିରିଙ୍କୁ ସେପ୍ଟେମ୍ବର ୨୦୧୯ ରେ ଅଷ୍ଟ୍ରେଲିଆର ସିଡନୀ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ସିଡନୀ ପୁଲିସ ସେତବେଳେ କୋର୍ଟଙ୍କୁ କହିଥିଲା ଯେ ସ୍ୱାମୀ ଆନନ୍ଦ ଗିରିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଏବଂ ଅସତ୍ୟ। ସିଡନୀ କୋର୍ଟ ତୁରନ୍ତ ସ୍ୱାମୀ ଆନନ୍ଦ ଗିରିଙ୍କ ପାସପୋର୍ଟ ଦେବାକୁ କହିଥିବାବେଳେ ଭାରତ ଯିବାକୁ ଅନୁମତି ଦେଇଥିଲେ। କୋର୍ଟଙ୍କ ନିଷ୍ପତ୍ତି ପରେ ଆନନ୍ଦ ଗିରି କହିଥିଲେ ଯେ ସତ୍ୟ ବିଚଳିତ ହୋଇପାରେ, କିନ୍ତୁ ପରାଜିତ ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର