ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କ ଡିସେମ୍ବର ୩୦ ଶୁକ୍ରବାର ସକାଳ ୩.୩୦ରେ ଦେହାନ୍ତ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାପରେ ଚିକିତ୍ସା ପାଇଁ ଅହମ୍ମଦାବାଦର ୟୁଏନ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କୁ ଘରକୁ ଛୁଟି କରି ଦିଆଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।

Advertisment

ଏହି ଖବର ପାଇବା ପରେ ମୋଦୀ ତୁରନ୍ତ ବିମାନ ଯୋଗେ ଗୁଜରାଟ ଆସି ପହଞ୍ଚିଥିଲେ। ଘରେ ମା’ଙ୍କ ଅନ୍ତିମ ଦର୍ଶନ କରିବା ପରେ ସେ କୋକେଇକୁ ନିଜ କାନ୍ଧରେ ନେଇ ଅନ୍ତିମ ସଂସ୍କାର ପାଇଁ ବାହାରକୁ ଆଣିଥିଲେ।

ଏହି ଦୁଃଖ ସମ୍ବାଦ ପରେ ଅନେକ ରାଜନେତା ଓ କଳାକାର ଶୋକବ୍ୟକ୍ତି କରିଥିବା ବେଳେ ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟ ଭାବବହ୍ବଳ କରି ଦେଉଛି। ଆନନ୍ଦ ମହିନ୍ଦ୍ରା ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଦ ସ୍ପର୍ଶ କରୁଥିବା ବେଳର ଏକ ଫଟୋ ସେୟାର କରିଛନ୍ତି। ଏଥିସହିତ କ୍ୟାପସନରେ ଲେଖିଛନ୍ତି, ‘ମା’ର ବୟସ ଯେତେବି ହେଉ, ତାକୁ ହରାଇ ଦେବା ଅର୍ଥ ଆତ୍ମାର ଏକ ଅଂଶକୁ ହରାଇ ଦେବା। ଓଁ ଶାନ୍ତି।’

ଏହି କ୍ରମରେ ନାଗାଲ୍ୟାଣ୍ଡର ମନ୍ତ୍ରୀ ତେମଜେନ ଇମନା ଏକ ଭିଡିଓ ସେୟାର କରି ମୋଦୀଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଲେଖିଛନ୍ତି, ‘ମା’ ଠାରୁ ବଡ଼ ଶବ୍ଦ ଏହି ଦୁନିଆରେ କିଛି ନାହିଁ।’