ପାଟନା : ବିହାରର ବାହୁବଳୀ ନେତା ଆନନ୍ଦ ମୋହନଙ୍କୁ ମୁକ୍ତ କରିବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେ ପାରୋଲରେ ୧୫ ଦିନ ରହିବା ପରେ ନିଜକୁ ଆତ୍ମସମର୍ପଣ କରିବାକୁ ଆନନ୍ଦ ମୋହନ ସିଂହ ସହର୍ସାରେ ପହଞ୍ଚିଛନ୍ତି । ତାଙ୍କୁ ଆସନ୍ତା ୨୭ ତାରିଖରେ ଜେଲରୁ ମୁକ୍ତ କରାଯାଇପାରେ । ନିକଟରେ ବିହାର ସରକାର ଜେଲ ନିୟମରେ ସଂଶୋଧନ କରି ତାଙ୍କ ସମେତ ୨୭ ଜଣ ଦୋଷୀଙ୍କୁ ମୁକ୍ତ କରିଥିଲେ ।
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଜି.କ୍ରିଷ୍ଣାୟାଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ ୧୪ ବର୍ଷ ରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଥିଲେ ।
ଗତ ସୋମବାର ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏବେ ପାରୋଲରେ ଥିବା ଆନନ୍ଦ ମୋହନ ସୋମବାରଦିନ ରାଜ୍ୟରେ ଶାସକ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବିଧାୟକ ଚେତନ ଆନନ୍ଦଙ୍କ ନିର୍ବନ୍ଧ ସମାରୋହରେ ଉପସ୍ଥିତ ଥିବା ଦେଖାଯାଇଥିଲା ।
ତେଲେଙ୍ଗାନାରେ ଜନ୍ମିତ ଆଇଏଏସ୍ ଅଧିକାରୀ କ୍ରିଷ୍ଣାୟା ଦଳିତ ସମ୍ପ୍ରଦାୟର ଥିଲେ । ୧୯୯୪ରେ ସେ ବିହାର ଗୋପାଳଗଞ୍ଜର ଜିଲ୍ଲାପାଳ ଥିବାବେଳେ ଆନନ୍ଦ ମୋହନଙ୍କ ନେତୃତ୍ବରେ ଏକ ଉଗ୍ର ଭୀଡ଼ ତାଙ୍କୁ ପିଟି ପିଟି ହତ୍ୟା କରିଦେଇଥିଲା । ହତ୍ୟାକାଣ୍ଡ ସମୟରେ ଆନନ୍ଦ ମୋହନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।