ନୂଆଦିଲ୍ଲୀ: ଏଯାଏଁ ରାହୁଲ ଗାନ୍ଧୀ ନିଜର ଇସ୍ତଫା ଫେରାଇ ନେଇ ନଥିବା ବେଳେ କଂଗ୍ରେସରେ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟର ସମୀକ୍ଷା ଜାରି ରହିଛି। ଏ ନେଇ କଂଗ୍ରେସର ଜଣେ ବରିଷ୍ଠ ନେତା ମୁହଁ ଖୋଲିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା କହିଛନ୍ତି ଯେ ଦଳର ଘୋଷଣା ପତ୍ରରେ କେତେକ ଗୁରୁତର ତ୍ରୁଟି ରହିଥିବା ହେତୁ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି।
ସେ କହିଛନ୍ତି ଯେ ଦଳର ଘୋଷଣା ପତ୍ରରେ ରାଜଦ୍ରୋହ ଆଇନକୁ ବନ୍ଦ କରିବା ଏବଂ ଏଫ୍ ଏସପିଏ ଆଇନରେ ପରିବର୍ତ୍ତନ ଆଣିବା ଦର୍ଶାଇବା ଯୋଗୁଁ ଦଳ ହାରିଲା । ଏହା କଂଗ୍ରେସ ଲାଗି ବୁମେରାଂ ହେଲା ବୋଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭା ନିର୍ବାଚନରେ କଂଗ୍ରେସର ଏତେ ବଡ଼ ପରାଜୟ ଘଟିବ, ତାହା କେହି ବି କଳ୍ପନା କରି ନଥିଲେ।