ମୁମ୍ବାଇ: ଭାରତୀୟ ସଭ୍ୟତା ଓ ସମୃଦ୍ଧ ଐତିହ୍ୟର ଏକ ‌ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ପଦଯାତ୍ରା। ଦେଶର ସବୁଠୁ ଧନୀ ପରିବାରର ସନ୍ତାନ ସ୍ବତନ୍ତ୍ର ଭାବେ ଭାରତୀୟ ଉପାୟରେ ନିଜକୁ ଦିବ୍ୟଶକ୍ତି ସହ ଯୋଡ଼ିବା ପାଇଁ ତୀର୍ଥସ୍ଥାନ ପଦଯାତ୍ରାରେ ବାହାରିଛନ୍ତି। ୨୯ ବର୍ଷୀୟ ଅନନ୍ତ ଅମ୍ବାନୀ ନିଜ ପୈତୃକ ସହର ତଥା କର୍ମଭୂମି ଜାମନଗରଠାରୁ ଭାରତର ସବୁଠୁ ପବିତ୍ର ସହର ଦ୍ବାରକା ପର୍ଯ୍ୟନ୍ତ ୧୭୦ କିମି ପଦଯାତ୍ରାରେ ଆଗକୁ ବଢ଼ିଛନ୍ତି। ମାର୍ଚ୍ଚ ୨୯ ତାରିଖରୁ ଅନନ୍ତଙ୍କ ଏହି ପଦଯାତ୍ରା ଆରମ୍ଭ ହୋଇଛି। ସେ ଦିନକୁ ୨୦ କିମି ଚାଲୁଛନ୍ତି। ପ୍ରତି ରାତିରେ ସେ ୭ ଘଣ୍ଟା ଲେଖାଏଁ ଚାଲୁଛନ୍ତି। ଭାରତର ଧାର୍ମିକ ଓ ଆଧ୍ୟାତ୍ମିକ ଐତିହ୍ୟ ସହିତ ଗଭୀର ଭାବେ ଜଡ଼ିତ ଥିବା ଦ୍ବାରକା ସହରରେ ସେ ନିଜର ୩୦ତମ ଜନ୍ମଦିନ ପୂର୍ବରୁ ଏପ୍ରିଲ ୮ ତାରିଖରେ ପହଞ୍ଚିବେ। 

Advertisment

ଏହି ପଦଯାତ୍ରା ମାର୍ଗରେ ଅନନ୍ତଙ୍କୁ ଅନେକ ଲୋକ ଭେଟି ସେମାନଙ୍କ ସମ୍ମାନ ଓ ସଦିଚ୍ଛା ଜଣାଇଛନ୍ତି। ତାଙ୍କୁ ସାଥ୍‌ ଦେବା ପାଇଁ କେତେକ ଲୋକ ତାଙ୍କ ସହିତ କିଛି ବାଟ ପଦଯାତ୍ରା ମଧ୍ୟ କରୁଛନ୍ତି। କିଛି ଲୋକ ତାଙ୍କୁ ପୀଠର ଅଧିଷ୍ଠାତା ଭଗବାନ ଦ୍ବାରକାଧୀଶଙ୍କ ଫଟୋ ଉପହାର ଦେଉଛନ୍ତି। ଆଉ କିଛି ଲୋକ ଘୋଡ଼ାରେ ଆସି ଫଟୋ ମଧ୍ୟ ଉଠାଉଛନ୍ତି।  କୁସିଂସ୍‌ ସିଣ୍ଡ୍ରୋମ୍‌ ନାମକ ଏକ ବିରଳ ହରମୋନ୍‌ ବିକାର ଓ ରୋଗଜନିତ ମେଦବହୁଳତା, ଶ୍ବାସଜନିତ ସମସ୍ୟା ଏବଂ ଗମ୍ଭୀର ଫୁସ୍‌ଫୁସ୍‌ ରୋଗଜନିତ ଦୁର୍ବଳତା ସତ୍ତ୍ବେ ଅମ୍ବାନୀ ଏହି କଠିନ ଏବଂ ଉଲ୍ଲେଖନୀୟ ପଦଯାତ୍ରାରେ ବାହାରିଛନ୍ତି। 

ଦ୍ବାରକା ପର୍ଯ୍ୟନ୍ତ ଏହି ଆଧ୍ୟାତ୍ମିକ ପଦଯାତ୍ରା ସମୟରେ ଅନନ୍ତ ହନୁମାନ ଚାଳିସା, ସୁନ୍ଦରାକାଣ୍ଡ ଓ ଦେବୀ ସ୍ତୋତ୍ର ପାଠ କରୁଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଜଣେ ନିଷ୍ଠାପର ସନାତନୀ ଯିଏ ଆଧ୍ୟାତ୍ମିକ ଉତ୍ସାହ ସହ ଆଗକୁ ବଢ଼ୁଛନ୍ତି। ନିୟମିତ ବ୍ୟବଧାନରେ ସେ ଭାରତର ବିଭିନ୍ନ ପ୍ରସିଦ୍ଧ ଧାର୍ମିକ ସ୍ଥଳ ପରିଦର୍ଶନ କରୁଛନ୍ତି ଯେଉଁଥିରେ ବଦ୍ରିନାଥ, କେଦାରନାଥ, ‌କାମାକ୍ଷା, ନାଥଦ୍ବାର, କାଳୀଘାଟ ଓ କୁମ୍ଭମେଳା ଆଦି ସାମିଲ ରହିଛି। ସେ ମଧ୍ୟ ବ୍ୟବସାୟ ପରିଚାଳନା କରୁଛନ୍ତି। ସେ ବିଶ୍ବର ସର୍ବବୃହତ୍ ବିଶୋଧନାଗାରର ତଦାରଖ କରୁଥିବାବେଳେ ଦେଶର ସର୍ବବୃହତ୍ ଅକ୍ଷୟଶକ୍ତି ରୂପାନ୍ତରଣ ପ୍ରକଳ୍ପର ମାର୍ଗଦର୍ଶନ ଦେଉଛନ୍ତି। ସେ ବନତାରା ପ୍ରାଣୀ ଆଶ୍ରୟସ୍ଥଳ ମଧ୍ୟ ସ୍ଥାପନ କରିଛନ୍ତି ଯାହାକୁ ନିକଟରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ। ଏହି ପଦକ୍ଷେପ ଜରିଆରେ ଅମ୍ବାନୀ ଏହା ଜଣାଇଛନ୍ତି ଯେ ବ୍ୟବସାୟ ଦୁନିଆର ଭବିଷ୍ୟତ ଗଠନ ସହିତ ଏକ ଆଧ୍ୟାତ୍ମିକ ପରମ୍ପରାର ପଦାଙ୍କ ଅନୁସରଣ କରାଯାଇ ପାରିବ।