ନୂଆଦିଲ୍ଲୀ: ଓଡ଼ିଆ ଝିଅ ଅନନ୍ତିନୀ (ଝୁମ୍ପା) ମିଶ୍ରଙ୍କୁ ସମ୍ମାନଜନକ ଅନ୍ତର୍ଜାତୀୟ ସାହିତ୍ୟ ସମାରୋହରେ ସର୍ବ କନିଷ୍ଠ ବକ୍ତା (ୟଙ୍ଗେଷ୍ଟ ସ୍ପିକର୍) ଭାବେ ଆମନ୍ତ୍ରିତ କରାଯାଇଛି। ଏହି ସମାରୋହ ଆସନ୍ତା ବର୍ଷ ଜାନୁଆରି ୧ ରୁ ୩୦ ପର୍ଯ୍ୟନ୍ତ ‘ଭର୍ଚୁଆଲ୍ ମୋଡ୍’ରେ ଚାଲିବ। ଭାରତ ସମେତ ୫୦ଟି ଦେଶର ସାହିତ୍ୟିକ ସମାରୋହରେ ଯୋଗଦେବେ।
ଅନନ୍ତିନୀ ମାତ୍ର ଦଶ ବର୍ଷ ବୟସରେ ପ୍ରଥମ ପୁସ୍ତକ ‘ଟ୍ରେଜର୍ ଅଫ୍ ସର୍ଟ ଷ୍ଟୋରିଜ୍’ ରଚନା କରି ଖ୍ୟାତି ଅର୍ଜନ କରିଥିଲେ। ଏହା ପରେ ତାଙ୍କର ଆଉ ତିନିଟି ପୁସ୍ତକ ପ୍ରକାଶ ପାଇଥିଲା। ଜଣେ କନିଷ୍ଠା ଲେଖିକା ଭାବେ ସେ ଦେଶର ବିଭିନ୍ନ ସାହିତ୍ୟ ସଂପର୍କିତ କାର୍ଯ୍ୟକ୍ରମରେ ଭାଗ ନେଇ ସାରିଛନ୍ତି। ପାନୋରମା ଅନ୍ତର୍ଜାତୀୟ ସାହିତ୍ୟ ସମାରୋହରେ ଅନନ୍ତିନୀ ‘ଭଏଡ - ଦି ବିଗିନିଂ ଆଣ୍ଡ୍ ଦି ଏଣ୍ଡ୍’ ଶୀର୍ଷକ ବକ୍ତବ୍ୟ ଉପସ୍ଥାପନ କରିବେ। ଏବେ ସେ ଦିଲ୍ଲୀ ମଦର୍ସ ଇଣ୍ଟରନାସନାଲ୍ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ।