ଶ୍ରୀନଗର : ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟ‌ରେ ଗୁଳି ବିନିମୟ ହୋଇ ସେନାର ଜଣେ କର୍ନେଲ, ଜଣେ ମେଜର ଏବଂ ଜଣେ ଡିଏସ୍‌ପି ସହିଦ ହୋଇଯାଇଛନ୍ତି। ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଆର୍ମି ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର (କର୍ନେଲ୍‌), ଜଣେ ମେଜର ଏବଂ ଜମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍‌ପି ସହିଦ ହୋଇଯାଇଛନ୍ତି। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଏବେ ବି ଜାରି ରହିଛି।

Advertisment

ସହିଦ କର୍ନେଲଙ୍କ ନାଁ ମନପ୍ରୀତ ସିଂହ ଏବଂ ମେଜରଙ୍କ ନାଁ ଆଶିଷ। ଜମ୍ମୁ କାଶ୍ମୀର ପୁଲିସ ଡିଏସ୍‌ପି ହୁମାୟୁନ ଭଟ୍ଟ ମଧ୍ୟ ଗୁଳିମାଡ଼ରେ ସହିଦ ହୋଇଯାଇଛନ୍ତି। ଅପରେସନ୍‌ କାର୍ଯ୍ୟ ତଦାରଖ ପାଇଁ ଆଜି ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ ଏବଂ କାଶ୍ମୀର ଏଡିଜିପି ବିଜୟ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନ୍ୟପକ୍ଷେ ଆଜି ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ନରଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗତ ସେପ୍ଟେମ୍ବର ୪ ତାରିଖରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଥିଲା।