ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ଉତ୍ତରାଞ୍ଚଳ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଅପରେସନ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେନା ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାଉଣ୍ଡ କମାଣ୍ଡରମାନେ ତାଙ୍କୁ ହାଇ-ଇଣ୍ଟେନସିଟି ଅପରେସନ ବିଷୟରେ ଅବଗତ କରାଇଥିଲେ। ଗତ ୪ ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଆତଙ୍କବାଦୀଙ୍କୁ ଠାବ ଓ ନିପାତ କରିବା ପାଇଁ ଡ୍ରୋନ୍ ଓ ହେଲିକପ୍ଟର ସମେତ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଗତକାଲି ଅନନ୍ତନାଗରେ ବର୍ଷା ହେବାରୁ ଅପରେସନ୍ ରବିବାରକୁ ଘୁଞ୍ଚାଇ ଦିଆଯାଇଥିଲା। ରବିବାର ସକାଳେ ଆକ୍ରମଣ ପୁଣି ଆରମ୍ଭ ହେବା ପରେ ସୁରକ୍ଷାବାହିନୀ ଜଙ୍ଗଲ ଆଡ଼କୁ ଅନେକ ମୋର୍ଟାର୍ ମାଡ଼ କରିଥିଲେ। ଏହି ଅଞ୍ଚଳରେ ରାତିସାରା ଗୁଳିଚାଳନା ଜାରି ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ନିଜର ଗୋଳାବାରୁଦ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଲଗାତାର ଗୁଳି ଚାଳନା କରୁନାହାନ୍ତି।
ଦକ୍ଷିଣ କାଶ୍ମୀରର କୋକରନାଗ ଅଞ୍ଚଳର ଗାଡୋଲର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏହି ଅପରେସନରେ ଡ୍ରୋନ ଓ ହେଲିକପ୍ଟରକୁ ନିରୀକ୍ଷଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି। ପାହାଡ଼ିଆ ଅଞ୍ଚଳରେ ବୁଲିବା ଏବଂ ଜଙ୍ଗଲ ଭିତରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଅବସ୍ଥାନ ଚିହ୍ନଟ କରିବାରେ ଏହି ହାଇଟେକ୍ ଉପକରଣଗୁଡ଼ିକ ସହାୟକ ହୋଇଛି। ଶନିବାର ସୁରକ୍ଷାବାହିନୀ ଜଙ୍ଗଲ ଆଡ଼କୁ ଏକାଧିକ ମୋର୍ଟାର୍ ସେଲ୍ ମାଡ଼ କରିଥିଲେ।