ଅନନ୍ତନାଗରେ ଏନ୍‌କାଉଣ୍ଟର : ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଦୋରୁ ଅଞ୍ଚଳର ସିସ୍ଥଗ୍ରାମ୍‌ରେ ଗତକାଲି ରାତିରୁ ସୁରକ୍ଷା କର୍ମୀମାନେ ଚଳାଇଥିବା ଆତଙ୍କୀ ନିରୋଧ ଅଭିଯାନରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଳି ବିନିମୟ ସ୍ଥଳରୁ ବିପୁଳ ପରିମାଣର ଗୁଳିଗୋଳା, ଗ୍ରେନେଡ୍‌ ଏବଂ ଏକେ ୪୭ ରାଇଫଲ ଉଦ୍ଧାର କରାଯାଇଛି। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଯବାନମାନେ ତଲାସି ଜାରି ରଖିଛନ୍ତି। ମୃତ ଆତଙ୍କବାଦୀ ଦ୍ୱୟଙ୍କ ପରିଚୟ ଏଯାବତ୍‌ ମିଳିପାରି ନଥିବା ବେଳେ ଉଭୟ ବିଦେଶୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅପରପକ୍ଷେ, ସ୍ଥାନୀୟ ଲୋକେ ମୃତକଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀକୁ ଅସିଫ ନାସିର ମଲ୍ଲିକ୍‌ ନାମକ ହିଜବୁଲ କମାଣ୍ଡର ବୋଲି ଚିିହ୍ନଟ କରିଥିବା ବେଳେ ମଲ୍ଲିକ୍‌ର ପରିବାର ଲୋକେ ଏହାକୁ ଖଣ୍ଡନ କରିଛନ୍ତି।

ମିଳିଥିବା ଖବର ମୁତାବକ, ଗତକାଲି ରାତିରେ ଦକ୍ଷିଣ କଶ୍ମୀରର ଦୋରୁ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ୧୯ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ମିଳି ଭାବେ ସେଠାରେ ଚଢ଼ଉ କରିଥିଲେ। ତେବେ ଯବାନମାନଙ୍କ ଉପସ୍ଥିତି ଜାଣିପାରି ଆତଙ୍କବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ। ତେବେ ଯବାନମାନଙ୍କ ପାଲଟା ଗୁଳିବର୍ଷାରେ ଦୁଇ ଜଣ ଆତଙ୍କବାଦୀ ଟଳିପଡ଼ିଥିଲେ। ଉଲ୍ଲେଖଯୋଗ୍ୟ, କୁପ୍‌ଓ୍ଵାଡ଼ାରେ ଦୀର୍ଘ ୪୮ ଘଣ୍ଟାର ଗୁଳି ବିନିମୟରେ ୫ଜଣ ଆତଙ୍କବାଦୀ ନିପାତ ହେବା ଘଟଣାକୁ ଦୁଇ ଦିନ ନପୂରୁଣୁ ଦୋରୁରେ ଏଭଳି ୨ ଜଣ ଆତଙ୍କବାଦୀ ନିହତ ହେବା ଘଟଣା ସେନା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର