କାଶୀ ବିଶ୍ବନାଥ ମନ୍ଦିରରେ ପ୍ରାଚୀନ ମୂର୍ତ୍ତି ସ୍ଥାପନ

ବାରାଣସୀ: ଅଷ୍ଟାଦଶ ଶତାବ୍ଦୀର ମାଆ ଅନ୍ନପୂର୍ଣ୍ଣାଙ୍କ ବିଗ୍ରହ ନଭେମ୍ବର ୧୧ରେ ଦିଲ୍ଲୀରୁ କାଶୀ ପ୍ରତ୍ୟାବର୍ତ୍ତନ କରିଛି ଏବଂ ୧୫ ତାରିଖ ସୋମବାର କାଶୀ ବିଶ୍ବନାଥ ମନ୍ଦିରରେ ନବନିର୍ମିତ ଅନ୍ନପୂର୍ଣ୍ଣା ମନ୍ଦିରରେ ଏହାକୁ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଆଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ଥିଲେ। ଏକ ସୁସଜ୍ଜିତ ଦିବ୍ୟ ରଥରେ ମୂର୍ତ୍ତିକୁ ୮ଟି ଜିଲ୍ଲା ଅତିକ୍ରମ କରି ବାରାଣସୀ ଆଣିବା ପାଇଁ ଚାରି ଦିନ ସମୟ ଲାଗିଥିଲା। ରବିବାର ମଧ୍ୟରାତ୍ର ପରେ ଏହା କାଶୀରେ ପହଞ୍ଚିଥିଲା। ଯୋଗୀ ଆଦିତ୍ୟନାଥ ଆଜି ଦେବୀଙ୍କ ପ୍ରତିଷ୍ଠା ପାଇଁ ଯଜ୍ଞାନୁଷ୍ଠାନ କରାଇଥିଲେ। ଏହି କାର୍ଯ୍ୟପାଇଁ ଯୋଗୀ ରବିବାର ରାତିରୁ ଦୁଇଦିନିଆ ବାରାଣସୀ ଗସ୍ତରେ ଅଛନ୍ତି। ‘୧୦୮ ବର୍ଷ ପରେ ମାଆ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି କାଶୀ ପ୍ରତ୍ୟାବର୍ତ୍ତନ କରିଛି। ଏଥିପାଇଁ କାଶୀର ସାଂସଦ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରାଣପ୍ରତିଷ୍ଠା ଉତ୍ସବ ପରେ ଯୋଗୀ ଆଦିତ୍ୟନାଥ କୃତଜ୍ଞତା ଜଣାଇଛନ୍ତି।

ଡିଭିଜନାଲ କମିସନର ଦୀପକ ଅଗ୍ରୱାଲଙ୍କ କହିବା ଅନୁସାରେ କାଶୀ ବିଶ୍ବନାଥ ମନ୍ଦିରର ଉତ୍ତର ଦ୍ବାର ନିକଟରେ ବାସ୍ତୁଶାସ୍ତ୍ରର ନିୟମ ଅନୁଯାୟୀ ନୂତନ ମନ୍ଦିରଟି ଔଶାନ୍ୟ କୋଣରେ ନିର୍ମାଣ କରାଯାଇଛି ଏବଂ ଦେବୀଙ୍କ ମୁହଁ ପୂର୍ବକୁ ରହିଛି। ମାଆ ଅନ୍ନପୂର୍ଣ୍ଣାଙ୍କ ଲାଗି ନୂତନ ମନ୍ଦିର ନିର୍ମାଣ ନିମନ୍ତେ ଅନ୍ୟ ଚାରୋଟି ମୂର୍ତ୍ତିକୁ ସାମୟିକ ଭାବେ ଅପସାରଣ କରାଯାଇଥିଲା। ମାଆଙ୍କ ବିଗ୍ରହ ପ୍ରତିଷ୍ଠା ସହ ସେମାନଙ୍କର ମଧ୍ୟ ପୁନଃପ୍ରତିଷ୍ଠା କରାଯାଇଥିଲା।

ସୂଚନାଯୋଗ୍ୟ, ଅଷ୍ଟାଦଶ ଶତାବ୍ଦୀର ମାଆ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ୧୦୮ ବର୍ଷ ତଳେ କାଶୀ ବିଶ୍ବନାଥଙ୍କ ମନ୍ଦିରରୁ ଚୋରି ହୋଇଥିଲା। ପରେ ଏହା କାନାଡ଼ାର ମ୍ୟୁଜିୟମ୍‌ରେ ଥିବା ଜଣାପଡ଼ିଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଏହାକୁ ଭାରତ ଫେରାଇ ଅଣାଯିବା ପରେ ଗୁରୁବାର ଜାତୀୟ ରାଜଧାନୀରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହାକୁ ଉତ୍ତରପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର