ଯୋଧପୁର: ସଚିନ ମୀନା-ସୀମା ହାଇଦର ଓ ଅଞ୍ଜୁ-ନସରୁଲ୍ଲାଙ୍କ ପ୍ରେମ କହାଣୀ କିଛିଦିନ ହେଲା ଗଣମାଧ୍ୟମର ଶିରୋନାମ ପାଲଟିଥିବା ବେଳେ ସମ୍ପ୍ରତି ଆଉ ଏକ ସୀମାପାର ପ୍ରେମ ବିବାହ ହୋଇଥିବା ଖବର ମିଳିଛି। ରାଜସ୍ଥାନର ଯୋଧପୁରରେ ରହୁଥିବା ଅରବାଜ ପାକିସ୍ତାନର ଝିଅ ଅମିନାଙ୍କ ସହ ଆଭାସୀ (ଭର୍ଚୁଆଲ) ଭାବେ ବିବାହ କରିଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବିବାହ ବୁଧବାର ରାତିରେ ସମ୍ପନ୍ନ ହୋଇଛି। ଉଭୟ ଭାରତ ଓ ପାକିସ୍ତାନର କାଜିମାନେ ଉଭୟଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ନିକାହ ସମ୍ପନ୍ନ କରିଥିଲେ। ସମ୍ପର୍କୀୟମାନେ ଦେଖିବା ପାଇଁ ଏଲ୍‌ଇଡି ପରଦାରେ ନିକାହ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ସିଭିଲ କଣ୍ଟ୍ରାକ୍ଟର ମହମ୍ମଦ ଆଫଜଲଙ୍କ ସାନପୁଅ ଅରବାଜ କହିଛନ୍ତି, ନବବଧୂକୁ ଭାରତ ଆଣିବା ପାଇଁ ସେମାନେ ଖୁବ୍‌ଶୀଘ୍ର ଭିସା ଲାଗି ଆବେଦନ କରିବେ। ତାଙ୍କ ସମ୍ପର୍କୀୟମାନେ ପାକିସ୍ତାନରେ ଅଛନ୍ତି।

Advertisment

publive-image

ଏହା ଏକ ଯୋଗାଡ଼ ବିବାହ, ଯେଉଁଥିରେ ଉଭୟ ପରିବାର ଓ ସମ୍ପର୍କୀୟମାନଙ୍କର ସହମତି ଅଛି। ଦୁଇ ଦେଶର ସମ୍ପର୍କ ଭଲ ନ ଥିବାରୁ ସେମାନେ ଭିସା ଯୋଗାଡ଼ କରିବାକୁ ବିଫଳ ହେଲେ। ସେଥିପାଇଁ ଅନ୍‌ଲାଇନରେ ବିବାହ କରିବାକୁ ପଡ଼ିଲା। ଭିସା ହାସଲ ପାଇଁ କିଛି ସମୟ ଲାଗିବ। ଯଦି ସେମାନେ ପାକିସ୍ତାନରେ ବିବାହ କରିଥାନ୍ତେ ତେବେ ଭାରତ ତାହାକୁ ଆଇନଗତ ସ୍ବୀକୃତି ଦେଇ ନ ଥାନ୍ତା। ଅନ୍‌ଲାଇନରେ ହେଉ ପଛେ ଭାରତରେ ବିବାହ ହୋଇଥିବାରୁ ଭାରତ ଭିସା ଦେବ ବୋଲି ସେମାନେ ଆଶା କରୁଥିବା କହିଛନ୍ତି ଅରବାଜ। ଅରବାଜଙ୍କ ବାପା ମଧ୍ୟ ବୋହୂକୁ ଘରକୁ ଆଣିବା ପାଇଁ ଆଗ୍ରହୀ ବୋଲି କହିଛନ୍ତି। ଅରବାଜଙ୍କ ପରିବାରର ଜଣେ ସଦସ୍ୟ ପୂର୍ବରୁ ଅମିନାଙ୍କ ପରିବାରର ଜଣେ ମହିଳାଙ୍କୁ ବିବାହ କରିଛନ୍ତି ବୋଲି ସେ କହିଛନ୍ତି।