ଲଣ୍ଡନ୍‌: ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦୁଇ ଦଶନ୍ଧି ପୂର୍ଣ୍ଣ କରିଛନ୍ତି ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ (ଜିମ୍ମି)। ଜଣେ ଦ୍ରୁତ ବୋଲର ପାଇଁ ଏତେ ଲମ୍ବା କ୍ରିକେଟ୍ ଜୀବନ ବିତାଇବା ଅସମ୍ଭବ ଥିବା ବେଳେ ଜିମ୍ମି ଏହାକୁ ସମ୍ଭବ କରି ଦେଖାଇଛନ୍ତି ଏବଂ ଏବେ ବି କ୍ରି‌କେଟ୍ ପଡ଼ିଆରେ ଅପରାଜିତ ଅଛନ୍ତି। ୧୭୯ ଟେଷ୍ଟ ଖେଳି ୬୮୫ ୱିକେଟ୍ ନେଇଥିବା ଆଣ୍ଡରସନ୍‌ ମଧ୍ୟ ଦ୍ରୁତ ବୋଲରଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ସର୍ବକାଳୀନ ତାଲିକାରେ କେବଳ ଆଣ୍ଡରସନଙ୍କଠାରୁ ଆଗରେ ରହିଛନ୍ତି ଦୁଇ ସ୍ପିନର୍‌ ମୁଥୟା ମୁରଲୀଧରନ (୮୦୦) ଏବଂ ‌ସେନ୍ ୱର୍ଣ୍ଣ (୭୦୮)। ୭୦୦ ୱିକେଟ୍‌ ମାଇଲଖୁଣ୍ଟ ପାଇଁ ଆଣ୍ଡରସନ୍‌ ଆଉ ମାତ୍ର ୧୫ ୱିକେଟ୍‌ ଦୂରରେ ରହିଛନ୍ତି। ଆସନ୍ତା ମାସରୁ ଘରୋଇ ପରିବେଶରେ ଆସେସ୍ ଶୃଙ୍ଖଳା ‌ଖେଳାଯିବାକୁ ଥିବାରୁ ସେ ମଧ୍ୟ ଏହି କୃତିତ୍ବ ଅର୍ଜନରେ ବିଶ୍ବର ତୃତୀୟ ଖେଳାଳି ହେବାର ସମ୍ଭାବନା ରହିଛି।

Advertisment

୨୦୦୩ ମସିହା ମେ ୨୨ ତାରିଖରେ ଆଣ୍ଡରସନ୍‌ ମାତ୍ର ୨୦ ବର୍ଷ ବୟସରେ ଟେଷ୍ଟ କ୍ରିକେଟ୍‌କୁ ଆସିଥିଲେ। ଲର୍ଡସରେ ଜିମ୍ବାୱେ ବିପକ୍ଷରେ ପଦାର୍ପଣ କରିଥିବା ଏହି ଶାନ୍ତ ସ୍ବଭାବର ଖେଳାଳି ଏବେ ବି ତାଙ୍କ ସୁଇଙ୍ଗ୍ ବୋଲିଂ ପାଇଁ ବିଶେଷ ଭାବେ ପରିଚିତ। ୪୧ ବର୍ଷୀୟ ଜିମ୍ମି ଆହୁରି ଅନେକ ବର୍ଷ ଖେଳି ପାରିବେ ବୋଲି ମଙ୍ଗଳବାର ପ୍ରକାଶ କରିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌।