ହାଇଦ୍ରାବାଦ: ପତ୍ନୀଙ୍କୁ ହତ୍ୟା କରିଥିବା କାରଣରୁ ଆନ୍ଧ୍ରପ୍ରଦେଶ ପୁଲିସ ଗୁଣ୍ଟୁର୍ ଜିଲ୍ଲା ଅନ୍ତର୍ଗତ ଅମୃତଲୁରୁ ବ୍ଲକ୍ର ୟାଲାବରୁ ଗ୍ରାମର ଜଣେ ୯୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି।
ସୋମବାର ମାତ୍ର ୨, ୨୫୦ ଟଙ୍କାର ପେନ୍ସନ ଅର୍ଥର ଭାଗବାଣ୍ଟକୁ ନେଇ କଳହରୁ ଏମ୍.ସାମୁଏଲ୍ ତାଙ୍କର ୯୦ ବର୍ଷୀୟ ପତ୍ନୀ ଆପ୍ରାୟାମ୍ମାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି।
ଆନ୍ଧ୍ର ସରକାରଙ୍କ ନିୟମ ଅନୁସାରେ, ପ୍ରତି ପରିବାରର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ୨, ୨୫୦ ଟଙ୍କା ଭତ୍ତା ବା ପେନ୍ସନ୍ ପାଇଥାଆନ୍ତି । ଏହି ଯୋଜନାରେ ପଞ୍ଜିକରଣ ହୋଇଥିବା ସାମୁଏଲ୍ଙ୍କ ପତ୍ନୀ ଆପ୍ରାୟାମ୍ମା ପ୍ରତି ମାସର ପହିଲାରେ ଭତ୍ତା ଅର୍ଥ ପାଇଥାଆନ୍ତି।
/sambad/media/post_attachments/wp-content/uploads/2020/11/club.jpg)
ପୁଲିସର କହିବା ଅନୁସାରେ, ଆଇନଗତ ଭାବେ ଛାଡ଼ପତ୍ର ହୋଇ ନ ଥିଲେ ବି ଉଭୟ ପତିପତ୍ନୀ ୧୦ ବର୍ଷ ହେବ ଅଲଗା ରହୁଥିଲେ। ମାତ୍ର ସାମୁଏଲ୍ ଭତ୍ତା ଟଙ୍କା ପ୍ରତି ମାସରେ ଆପ୍ରାୟାମ୍ମାଙ୍କ ଠାରୁ ନେଉଥିଲେ।
ଭତ୍ତାରୁ ଭାଗ ନେବା ଲାଗି ନଭେମ୍ବର ପହିଲା ଦିନ ସାମୁଏଲ୍ ଆପ୍ରାୟାମ୍ମାଙ୍କ ପାଖକୁ ଯାଇଥିଲେ। ଆପ୍ରାୟାମ୍ମା ସାମୁଏଲ୍ଙ୍କୁ ପୂରା ଟଙ୍କା ନ ଦେଇ କିଛି ଭାଗ ଦେବାରୁ ସେ ରାଗରେ ସେଠାରୁ ଚାଲିଯାଇଥିଲେ। ତା’ପର ଦିନ ବଡ଼ି ସକାଳୁ ସାମୁଏଲ୍ ଆପ୍ରାୟାମ୍ମାଙ୍କ ପାଖକୁ ଆସି ଠେଙ୍ଗାରେ ପିଟି ଚାଲିଥିଲେ। ଏହି ମାଡ଼ରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।
ଏପରି କାଣ୍ଡ ଘଟାଇବାର କିଛି ସମୟ ପରେ ସାମୁଏଲ୍ ଏକଥା ତାଙ୍କ ପୁଅ ଓ ନାତିନାତୁଣୀମାନଙ୍କୁ ଜଣାଇଲେ ବି ସେମାନେ ହଠାତ ବିଶ୍ବାସ କରି ପାରି ନ ଥିଲେ। ପରେ ପରେ ଆପ୍ରାୟାମ୍ମା ରକ୍ତ ଜୁଡୁବୁଡୁ ହୋଇ ମରିପଡ଼ିଥିବା କଥା ପଡ଼ୋଶୀମାନେ ଦେଖିବା ପରେ ସମଗ୍ର ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।
ପୁଅମାନଙ୍କ ଅଭିଯୋଗ ଆଧାରରେ ସାମୁଏଲ୍ଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। ପୁଲିସ ଗିରଫ କରିବା ପରେ ସାମୁଏଲ୍ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।