ନୂଆଦିଲ୍ଲୀ: ଜନନୀ ଯନ୍ତ୍ରଣାର ଅନ୍ତ କେବେ? ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଦାରୁଣ ଚିତ୍ର । ଗାଁକୁ ନାହିଁ ଭଲ ରାସ୍ତା, ପହଞ୍ଚି ପାରୁନି ଆମ୍ବୁଲାନ୍ସ । ବାହୁଙ୍ଗିରେ ବୁହାହୋଇ ଡାକ୍ତରଖାନା ଗଲେ ଜଣେ ଗର୍ଭବତୀ ମହିଳା । ଏହା ବିପଜ୍ଜନକ ମଧ୍ୟ ହୋଇପାରେ, କାରଣ ରାସ୍ତାଟି ବହୁତ ଖରାପ ଥିଲା । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଅଲୁରୀରେ ।

Advertisment

ଆନ୍ଧ୍ରପ୍ରଦେଶ ଅଲୁରୀର ସୀତାରାମରାଜୁ ଜିଲ୍ଲାରୁ ଆସିଲା ବ୍ୟବସ୍ଥାକୁ ଉପହାସ କରିବା ଭଳି ଚିତ୍ର । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଠାରେ ଖରାପ ରାସ୍ତା ଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ବାହୁଙ୍ଗିରେ ଡାକ୍ତରଖାନା ନିଆଯାଇଥିଲା। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ଖାଲି ସେତିକି ନୁହେଁ ଖରାପ ରାସ୍ତା ମଧ୍ୟ ଥିବାରୁ କିଛି ଯୁବକମାନେ ଏକାଠି ହୋଇ ଗର୍ଭବତୀ ମହିଳାଙ୍କୁ ବାହୁଙ୍ଗିରେ ବୋହି ନାଳପାର୍ କରି ଡାକ୍ତରଖାନା ନେଇଥିଲେ । 

ଭିଡିଓରେ ଆଉ ଜଣେ ମହିଳା ମଧ୍ୟ ଥିବା ଦେଖିବାକୁ ମିଳୁଛି । ଯିଏ ହାତରେ କିଛି ସାମଗ୍ରୀ ଧରି ବୁଡ଼ି ରହିଥିବା ରାସ୍ତା ପାର୍ ହେଉଛନ୍ତି। ଏହାକୁ ଦେଖିବା ପରେ, ଗାଁ ଓ ଆଦିବାସୀ ଅଞ୍ଚଳରେ ରହୁଥିବା ଲୋକମାନେ କେତେ ଯେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁଛି । ଏଠି ପ୍ରଶ୍ନ ଉଠୁଛି ବିକାଶର କଥା । ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେ ଏଠାରେ ପ୍ରଶାସନ କରୁଛି କ'ଣ ? ଭିଡିଓଟି ଭାଇରାଲ୍ ହେବାପରେ ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ଲୋକ । ଗାଁଗୁଡ଼ିକର ବିକାଶ ହେବ କେବେ?...

ରାସ୍ତା ଅଭାବରୁ ଲୋକମାନେ ଏତେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଆଜି ଗାଁରେ ଭଲ ରାସ୍ତା ଥାଆନ୍ତା, ତେବେ ଯୁବକମାନଙ୍କୁ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଏତେ କଷ୍ଟ କରିବାକୁ ପଡ଼ିନଥାନ୍ତା । ଭିଡିଓ ଦେଖି ଲୋକମାନେ ଦାବି କରିଛନ୍ତି ଯେ, ଗାଁ ଲୋକଙ୍କୁ ଯଥାଶୀଘ୍ର ଭଲ ରାସ୍ତାର ସୁବିଧା ଯୋଗାଇ ଦିଆଯିବା ଉଚିତ୍ ।