କ୍ରେନ ଆଣି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ କାର୍ ସହ ଉଠାଇନେଲା ପୁଲିସ

ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ରାସ୍ତାରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁଲିସ ଏକ କ୍ରେନ୍ ଆଣି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲାଙ୍କ କାରକୁ ଟାଣି ନେବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସବୁଠାରୁ ପଡ଼ କଥା ହେଲା କାରକୁ କ୍ରେନ ସାହାଯ୍ୟରେ ପୁଲିସ ଟାଣି ନେଉଥିବା ବେଳେ କାର ଭିତରେ ବସିଥିଲେ ଶର୍ମିଲା। ଏହାପୂର୍ବରୁ ଗତକାଲି ପୁଲିସ ଶର୍ମିଲଙ୍କୁ ଅଟକ ରଖିଥିଲା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, କେ.ଚନ୍ଦ୍ରଶେଖର ରାଓ ସରକାରଙ୍କ ବିରୋଧରେ ୱାଇଏସ୍ ଶର୍ମିଲାଙ୍କ ୱାଇଏସଆର ତେଲେଙ୍ଗାନା ପାର୍ଟି ଏକ ପଦଯାତ୍ରା ଆରମ୍ଭ କରିଥି‌ଲା। ଗତକାଲି ପଦଯାତ୍ରା ପରେ କରାଯାଉଥିବା ଏକ ସଭାରେ ଶାସକ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ଏବଂ ୱାଇଏସଆର ତେଲେଙ୍ଗାନା ପାର୍ଟି କର୍ମୀମାନେ ୱାରଙ୍ଗଲରେ ମୁହାଁମୁହିଁ ହୋଇଥିଲେ। ଏହା ପରେ ଉଭୟ ଦଳର କର୍ମୀଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲା ପୁଲିସ। ଏଥିରେ ଶର୍ମିଲା ମଧ୍ୟ ସାମିଲ ଥିଲେ।

NDTV

ତେବେ ପୁଲିସ ଛାଡ଼ିବା ପରେ ଆଜି ସକାଳେ ଶର୍ମିଲା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସରକାରୀ ବାସଭବନ ପ୍ରଗତି ଭବନ ଆଗରେ କର୍ମୀଙ୍କ ସହ ମିଶି ବିରୋଧ ପ୍ରଦର୍ଶନ ପାଇଁ ପହଞ୍ଚିଥିଲେ। ଶର୍ମିଲା ତାଙ୍କ କାରରେ ବିରୋଧ ପ୍ରଦର୍ଶନରେ ସାମିଲ ହେବା ପାଇଁ ଯିବା ପରେ ପୁଲିସ ଏକ କ୍ରେନ୍ ଆଣି ତାଙ୍କ କାରକୁ ଟାଣି ନେଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, କ୍ରେନ୍ ତାଙ୍କ କାରକୁ ଟାଣି ନେଉଛି ଏବଂ ସେ କାର ଭିତରେ ବସିଛନ୍ତି। ଏହା ସହ ତାଙ୍କ ସମର୍ଥକମାନେ ଗାଡ଼ି ସହ ଦୌଡୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର