କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ୩୧ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :ଆସନ୍ତା ୩୧ରେ ସର୍ବୋଚ୍ଚ ନ୍ୟାୟାଳୟ କୋଟିଆରେ ଆନ୍ଧ୍ରର ନିର୍ବାଚନ ମାମଲାର ଶୁଣାଣି କରିବେ। ବିଚାରପତି ଏଏମ୍‌ ଖାନୱିଲକର ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ।

କୋଟିଆ ଗ୍ରାମପୁଞ୍ଜ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ଏ ବାବଦରେ କୋର୍ଟଙ୍କୁ ଅଣ୍ଡରଟେକିଂ ମଧ୍ୟ ଦେଇଥିଲେ। ଏହାକୁ ଉଲ୍ଲଂଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ବୋଲି ଦର୍ଶାଇ ପଞ୍ଚାୟତ ନିର୍ବାଚନ କରିଛି। ଯାହାକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛି ଦର୍ଶାଇ ଓଡ଼ିଶା ଫେବ୍ରୁଆରି ୧୦, ୨୦୨୧ରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲା।

ଆନ୍ଧ୍ର ମୁଖ୍ୟ ଶାସନ ସଚିବ, ଆନ୍ଧ୍ର ନିର୍ବାଚନ କମିଶନର ଓ ବିଜୟନଗରମ୍‌ ଜିଲ୍ଲାପାଳଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ପକ୍ଷରୁ ପ୍ରାର୍ଥନା କରାଯାଇଥିଲା। ଯାହାର ଜବାବ ଆନ୍ଧ୍ରକୁ ମାଗିଥିଲେ ସୁପ୍ରିମକୋର୍ଟ। ଆନ୍ଧ୍ର ପକ୍ଷରୁ ଜବାବ ଦାଖଲ କରାଯାଇଥିଲା। ଏହା ପରେ ଓଡ଼ିଶା ଦ୍ବାରା ଏପ୍ରିଲ ୭, ୨୦୨୧ରେ ଆନ୍ଧ୍ର ବିରୋଧରେ ଦ୍ବିତୀୟ ଅଦାଲତ ଅବମାନନା ମାମଲା ଦାୟର କରାଯାଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରାଯାଇଥିଲା। କରୋନାର ଦ୍ବିତୀୟ ଲହର ଓ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମ ଅବକାଶ ଯୋଗୁଁ ଉଭୟ ମାମଲାର ତ୍ବରିତ ଶୁଣାଣି ହୋଇପାରିନଥିଲା। ଇତି ମଧ୍ୟରେ ଓଡ଼ିଶା ସରକାର ଆନ୍ଧ୍ର ବିରୋଧରେ ଅରିଜିନାଲ ସୁଟ୍‌ ଦାଖଲ କରିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର