ଆନ୍ଧ୍ରର ନୂଆ ଚାଲ: କୋଟିଆ ଗ୍ରାମପୁଞ୍ଜକୁ ନେଇ ଗଠନ କଲା ନୂଆ ଜିଲ୍ଲା, ୧୩ଜିଲ୍ଲାର ଶୁଭାରମ୍ଭ କଲେ ଜଗନ୍‌ ରେଡ୍ଡି

ହାଇଦ୍ରାବାଦ୍‌: କୋଟିଆକୁ ନେଇ ନୂଆ ଚଳାଇଲା ଆନ୍ଧ୍ରପ୍ରଦେଶ। ଗତ କିଛି ଦିନ ହେବ କୋଟିଆ କାହାର; ଓଡ଼ିଶାର ନା ଆନ୍ଧ୍ରର, ଏହି ବିବାଦ ଲାଗିଥିବା ବ‌େଳେ ଏବେ କୋଟିଆ ଗ୍ରାମପୁଞ୍ଜକୁ ନେଇ ନୂଆ ଜିଲ୍ଲା ଗଠନ କରିଛନ୍ତି ଆନ୍ଧ୍ର ସରକାର। ଗତକାଲି ୧୩ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇଥିବା ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବା  ବେଳେ  ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡି ଆଜି ବିଧିବଦ୍ଧ ଭାବେ ଏହାର ଲୋକାର୍ପଣ କରିଛନ୍ତି। ଏକ ଭର୍ଚ୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀ ରେଡ୍ଡି ନବଗଠିତ ଜିଲ୍ଲାଗୁଡ଼ିକର ଶୁଭାରମ୍ଭ କରିଛନ୍ତି।

କୋଟିଆର ପାର୍ବତିପୁରମ୍ ଓ ପାଲାକୋଣ୍ଡା ସବ ଡିଭିଜନକୁ ନେଇ ଆନ୍ଧ୍ର ମାନ୍ୟମ୍ ଜିଲ୍ଲା ଗଠନ କରିଛି। ୧୩ଟି ନୂଆ ଜିଲ୍ଲା ବିଷୟରେ ଆନୁଷ୍ଠାନିକ ଭାବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍‌ ରେଡ୍ଡୀ ଘୋଷଣା କରିଥିବା ବେଳେ ଆଜି ଭର୍ଚୁଆଲ ମୋଡରେ ସେ ୧୩ ଜିଲ୍ଲାର ଶୁଭାରମ୍ଭ କରିଛନ୍ତି। ୧୩ଟି ନୂଆ ଜିଲ୍ଲାକୁ ମିଶାଇ ଏବେ ଆନ୍ଧ୍ରର ମୋଟ ଜିଲ୍ଲା ସଂଖ୍ୟା ୨୬ରେ ପହଞ୍ଚିଛି।

ସୂଚନା‌ ଅନୁଯାୟୀ, ଜାନୁଆରି ୨୬ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ରାଜ୍ୟର ଜିଲ୍ଲା ସଂଖ୍ୟା ବଢ଼ାଇବା ପାଇଁ ଘୋଷଣା କରିଥିଲେ। ୧୩ଟି ଜିଲ୍ଲାକୁ ଭାଗ କରି ୨୬ଟି ଜିଲ୍ଲାରେ ପରିଣତ କରାଯିବ ବୋଲି ସୂଚନା ଦେଇଥିଲେ। ପୂର୍ବରୁ କୋଟିଆ ସୀମାକୁ ଲାଗି ରହିଥିବା ବିଜୟନଗର ଜିଲ୍ଲାକୁ ଭାଗ କରି ନୂଆ ଜିଲ୍ଲା ମାନ୍ୟତା ଦେଇ ମାନ୍ୟମ୍ ବୋଲି ନାମକରଣ କରାଯାଇଥିଲା। ପୁରୁଣା ବିଜୟନଗର ଜିଲ୍ଲାର ପାର୍ବତୀପୁରମ ରାଜସ୍ବ ମଣ୍ଡଳ ଓ ଶ୍ରୀକାକୁଲମ୍‌ ଜିଲ୍ଲାର ପାଲାକୋଣ୍ଡା ରାଜସ୍ବ ମଣ୍ଡଳକୁ ନେଇ ଏହି ନୂଆ ଜିଲ୍ଲା ଗଠିତ ହୋଇଥିଲା।  ଶ୍ରୀକାକୁଲମ ରାଜସ୍ବ ମଣ୍ଡଳ ଅଧୀନରେ କୋଟିଆ ଗ୍ରାମପୁଞ୍ଜ ରହିଥିବା ବେଳେ ଏହି ଗ୍ରାମପୁଞ୍ଜକୁ ଆନ୍ଧ୍ର ତିନୋଟି ପଞ୍ଚାୟତରେ ଭାଗ କରିଛି। କୋଟିଆରେ ରହିଥିବା ୨୮ଟି ରାଜସ୍ବ ଗାଁ ଓ ୧୨ ପଡା ଗାଁକୁ ମିଶାଇବାକୁ ଆନ୍ଧ୍ର ପ୍ରୟାସ ଜାରି ରଖିଥିବା ବେଳେ ଏହି ନୂଆ ଜିଲ୍ଲା ଗଠନ ପରେ ନୂଆ ପ୍ରଶାସନ ବି ସେହି କାମରେ ଲାଗିବ ବୋଲି କୁହାଯାଉଛି। ପୂର୍ବରୁ ବିଜୟନଗରରୁ କୋଟିଆର ଦୂରତା ୧୨୦ରୁ ଅଧିକ ରହିଥିବା ବେଳେ ପାର୍ବତୀପୁରମ ନୂଆ ଜିଲ୍ଲା ମୁଖ୍ୟାଳୟ ହେବା ପରେ ଦୂରତା ଅଧାରୁ ଅଧିକ କମିଯିବ। ଫଳରେ ସରକାରୀ କର୍ମଚାରୀ ଖୁବ କମ୍‌ ସମୟରେ କୋଟିଆରେ ପଶିବେ ଏବଂ କାମ ତୁଟାଇ ଫେରିଯାଇ ପାରିବେ।

ସମ୍ବନ୍ଧିତ ଖବର