ସାବେରୀ ଓ ସିଲେରୁ ନଦୀରେ ଆଡିବନ୍ଧ ନିର୍ମାଣ ପ୍ରସଙ୍ଗ : ଆନ୍ଧ୍ରକୁ ମିଳିଛି ଜଙ୍ଗଲ ମଞ୍ଜୁରୀ

ନୂଆଦିଲ୍ଲୀ : ପୋଲାଭରମ୍‌ ପ୍ରକଳ୍ପ ଅନ୍ତର୍ଗତ ପଛୁଆ ବନ୍ୟାଜଳ ସମସ୍ୟାର ସମାଧାନ ପାଇଁ ସାବେରୀ ଓ ସିଲେରୁ ନଦୀରେ ଆଡ଼ିବନ୍ଧ ନିର୍ମାଣ ପ୍ରସ୍ତାବ ରହିଛି। ତେବେ, ଓଡିଶା ସରକାର ଏହାକୁ ବିରୋଧ କରି ଆସୁଥିବାବେଳେ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଜଙ୍ଗଲ ମଞ୍ଜୁରୀ ମିଳିଛି। ଓଡିଶା ଓ ଛତିଶଗଡ଼ କ୍ଷେତ୍ରର ବୁଡ଼ି ଅଞ୍ଚଳର ସୁରକ୍ଷା ତଥା ଉଚିତ ନିଷ୍କାସନ ପାଇଁ ଆନ୍ଧ୍ର ପ୍ରଦେଶ ଆଡିବନ୍ଧ ନିର୍ମାଣ ଲାଗି ୨୦୧୦ ମସିହା ଜୁଲାଇ ୨୮ରେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ନିକଟରୁ ଷ୍ଟେଜ୍-୨ ଜଙ୍ଗଲ ମଞ୍ଜୁରୀ ହାସଲ କରିଛି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କଟାରିଆ ଲୋକସଭାରେ ସାଂସଦ ସପ୍ତଗିରି ଉଲାକାଙ୍କର ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି।

ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାରେ ଆଡ଼ିବନ୍ଧ ନିର୍ମାଣ ପାଇଁ ଜଙ୍ଗଲ ଜମିର ଆବଶ୍ୟକତା ନ ଥିବାନେଇ ମଧ୍ୟ ଅବଗତ କରାଇଛନ୍ତି ବୋଲି ରାଷ୍ଟ୍ରମନ୍ତ୍ରୀ କଟାରିଆ ଉତ୍ତରରେ ଜଣାଇଛନ୍ତି। ଏଥିସହିତ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୧୦,୮୪୮.୩୬ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଆନ୍ଧ୍ର ପ୍ରଦେଶ ପ୍ରକଳ୍ପ ବାବଦରେ ଡିସେମ୍ବର ୧୨,୨୦୨୦ ସୁଦ୍ଧା ୧୨,୩୧୧.୧୨ କୋଟି ଟଙ୍କା ବ୍ୟୟ କରିଥିବାର ମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର