ଆନ୍ଧ୍ରପ୍ରଦେଶ: ପୂର୍ବ ଗୋଦାବରୀ ଗାଁ’ରେ ୧୧୬ ଜଣଙ୍କୁ କରୋନାଭାଇରସ୍ ସଂକ୍ରମିତ କଲେ ସୁପର୍‌-ସ୍ପ୍ରେଡର୍

କାକିନାଡ଼ା: ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ପେଡ଼ାପୁଡ଼ି ମଣ୍ଡଳ ଅଞ୍ଚଳର ‘ଗୋଲ୍ଲାଲା ମାମିଡ଼ାଡ଼ା’ ଗାଁ ଏବେ ସବୁଠୁ ଅଧିକ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତିଥିବା ଗାଁ’ ଭାବେ ସମଗ୍ର ଦେଶରେ ରେକର୍ଡ କରିଛି।

କାକିନାଡ଼ା ଠାରୁ ପ୍ରାୟ ୨୦ କିଲୋମିଟର୍ ଦୂର ଶାଗୁଆ କ୍ଷେତ ଏବଂ ନଡ଼ିଆ ବାଗାନ୍ ମଧ୍ୟରେ ଅବସ୍ଥିତ ଏହି ଗାଁରେ ବୁଧବାର ସୁଦ୍ଧା ୧୧୬ଜଣ କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ବୋଲି ପରୀକ୍ଷାରୁ ଜଣାପଡ଼ିଛି।

ମେ ୨୦ ତାରିଖ ଦିନ କୋଭିଡ୍-୧୯ ‌ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଜଣେ ୫୩ ବର୍ଷିୟ ବ୍ୟକ୍ତି ହିଁ ଏହି ଗାଁରେ ଏତେ ସଂଖ୍ୟକ ସଂକ୍ରମଣ ହେବା ପାଇଁ ଦାୟୀ ବୋଲି କୁହାଯାଉଛି। ଭୂତାଣୁ ସଂକ୍ରମଣ ଯୋଗୁଁ ସ୍ବାସ୍ଥ୍ୟରେ ଜଟିଳତା ଦେଖା ଦେଇଥିବା ସେ ବ୍ୟକ୍ତିଙ୍କୁ କାକିନାଡ଼ାସ୍ଥିତ ଗଭର୍ଣ୍ଣମେଣ୍ଟ୍‌ ଜେନେରାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବାର ଅଧଘଣ୍ଟାଏ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଉକ୍ତ ବ୍ୟକ୍ତିଜଣକ ଗୋଟାଏ ହୋଟେଲ୍‌ରେ କାମ କରୁଥିଲେ ଏବଂ ତାଙ୍କର ଫଟୋଗ୍ରାଫିରେ ସଉକ ଥିଲା। କାର୍ଯ୍ୟ ଏବଂ ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ଚିକିତ୍ସାରେ ଅବହେଳା କରିଥିବା କାରଣରୁ ସେ ଜଣେ ସୁପର୍-ସ୍ପ୍ରେଡର୍ ବୋଲି ବିଶ୍ବାସ କରାଯାଉଛି। ଏହି ବ୍ୟକ୍ତିଜଣକ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ପେଡ଼ାପୁଡ଼ି ମଣ୍ଡଳ ଏବଂ ପାଖ ରାମଚନ୍ଦ୍ରପୁରମ୍, ଅନପର୍ତ୍ତି, ବିକ୍କାବୋଲୁ ଏବଂ ମଣ୍ଡପେଟା ମଣ୍ଡଳରେ ଅନ୍ୟୂନ ୧୫୦ ଜଣ ବ୍ୟକ୍ତିଙ୍କୁ ଭୂତାଣୁ ଦ୍ବାରା ସଂକ୍ରମିତ କରିଛନ୍ତି।

Image Courtesy of The Times of India

ନିକଟରେ ରାମଚନ୍ଦ୍ରପୁର ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଭୂତାଣୁ ସଂକ୍ରମଣ କରାଇଥିବା ବିଶ୍ବାସ କରାଯାଉଛି। ଏହାଛଡ଼ା ସେ ଏକ ସ୍ଥାନୀୟ ସଙ୍ଗଠନ ଦ୍ବାରା ଆୟୋଜିତ ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ବି ଯୋଗ ଦେଇଥିଲେ।

କିନ୍ତୁ, ଏହି ସୁପର୍-ସ୍ପ୍ରେଡର୍ ନିଜେ ‌କିଭଳି କୋଭିଡ୍-୧୯ ସଂକ୍ରମିତ ହେଲେ ତାହା ଜାଣିବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉଦ୍ୟମ କରୁଛନ୍ତି। ଏହାଛଡ଼ା, ମୃତ ସୁପର୍-ସ୍ପେଡର୍‌ଙ୍କ ପୁଅ ମଧ୍ୟ କୋଭିଡ୍-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଉଭୟଙ୍କ ସଂକ୍ରମଣ ସମୟ ଏକା ବୋଲି ଅନୁମାନ କରାଯାଉଛି। ତେଣୁ, ସଂକ୍ରମଣ କାହା ଠାରୁ ହୋଇଛି, ସେ ବିଷୟରେ ସନ୍ଦେହ ଉଠିଛି। କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡ଼ିବା ପୂର୍ବରୁ ସେ ସ୍ଥାନୀୟ ବେକେରିରେ ସାଙ୍ଗମାନଙ୍କୁ ପାର୍ଟି ଦେଇଥିଲା ବୋଲି ସରକାରୀ ଅଧିକାରୀମାନେ କହୁଛନ୍ତି।

ସମ୍ବନ୍ଧିତ ଖବର