ନେଲ୍ଲୋର୍: ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ରୁ ସୁରକ୍ଷା ଦେବ ବୋଲି ଦାବି କରି ଆନ୍ଧ୍ରପ୍ରଦେଶର ନେଲ୍ଲୋର୍ ଜିଲ୍ଲା ଅନ୍ତର୍ଗତ କୃଷ୍ଣାପଟନମ୍ନିବାସୀ ବୋନିଗି ଆନନ୍ଦୈୟା ଏକ ଜାତୀୟ ଜଡ଼ିବୁଟି ବଣ୍ଟନ କରି ପୁନର୍ବାର ବିବାଦୀୟ ହୋଇପଡ଼ିଛନ୍ତି।
ଏହି ‘କୁହୁକ ଔଷଧ’ ନେବା ପାଇଁ ମୁଠୁକୁର ମଣ୍ଡଳ ଅନ୍ତର୍ଗତ କୃଷ୍ଣାପଟନମ୍ ଗାଁରେ ଦେଶର ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟକ ଆସି ଗହଳି କରିବାରୁ ସୋମାବର ଦିନ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ଗ୍ରାମରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ସଚେତନ ଗ୍ରାମବାସୀମାନେ ଆନନ୍ଦୈୟାଙ୍କ ଘର ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିବାରୁ ଘଟଣାରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।
ସ୍ମରଣଯୋଗ୍ୟ, କୋଭିଡ୍-୧୯ ଦ୍ବିତୀୟ ଲହର ସମୟରେ ସ୍ଥାନୀୟ ବିଧାୟକ ଜି. ଗୋବର୍ଦ୍ଧନ ରେଡ୍ଡୀଙ୍କ ସହାୟତରେ ଆନନ୍ଦୈୟା ଏଭଳି ଅନ୍ୟ ଏକ ଜଡ଼ିବୁଟି ବଣ୍ଟନ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ।
/sambad/media/post_attachments/wp-content/uploads/2021/12/herbal1.jpg)
ସଚେତନ ଗ୍ରାମବାସୀମାନେ ତାଙ୍କୁ ‘ଓମିକ୍ରନ୍’ ଜଡ଼ିବୁଟି ବଣ୍ଟନ ସଂକ୍ରାନ୍ତରେ ନାନା ପ୍ରଶ୍ନ ପଚାରିବା ସହ ସମ୍ପୃକ୍ତ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ପାଇଛନ୍ତି କି, ନାହିଁ ବୋଲି ପଚାରିଥିଲେ। ଏଇଥି ପାଇଁ ହିଁ ଆନନ୍ଦୈୟା ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ତୁମୁଳ ହୋଇଥିଲା। ଫଳତଃ ପୁଲିସ ଗ୍ରାମବାସୀ ଏବଂ ଆନନ୍ଦୈୟାଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
କୋଭିଡ୍-୧୯ ଦ୍ବିତୀୟ ଲହର ବେଳେ ଆନନ୍ଦୈୟାଙ୍କ ଯୋଗୁଁ ଗାଁ’ରେ ସୃଷ୍ଟି ହୋଇଥିବା ପରିସ୍ଥିତି କଥା ମନେପକାଇ ଗ୍ରାମବାସୀମାନେ ଏଥର ଅନ୍ୟ ଜାଗାକୁ ଔଷଧ ବଣ୍ଟନ କେନ୍ଦ୍ର ଉଠାଇ ନେବାକୁ ତାଙ୍କୁ ଅନୁରୋଧ କରିଥିଲେ। ମାତ୍ର, ସେମାନଙ୍କ କଥାକୁ ଭ୍ରୂକ୍ଷେପ ନ କରି ସେ ପୂର୍ବସ୍ଥାନରେ ହିଁ ଔଷଧ ବଣ୍ଟନ କରୁଛନ୍ତି ବୋଲି ସରପଞ୍ଚ ଭେଙ୍କଟେଶ୍ବର୍ଲୁ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ଆନନ୍ଦୈୟା ଦୈନିକ ୭୦୦ ରୁ ୮୦୦ ପୁଡ଼ିଆ ଜଡ଼ିବୁଟି ଔଷଧ ବଣ୍ଟନ କରୁଛନ୍ତି। ଆବଶ୍ୟକସ୍ଥଳେ ଔଷଧ ବଣ୍ଟନ ନିମନ୍ତେ ରାଜ୍ୟ ସରକାର ଓ ହାଇକୋର୍ଟ ଅନୁମତି ଦେଇଥିବା କଥା ସେ ଦାବି କରୁଛନ୍ତି।