ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ବର୍ଷା ଏବଂ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ୨ଟି ଯାକ ରାଜ୍ୟରେ ୪୭ ହଜାରରୁ ଅଧିକ ଲୋକଙ୍କୁ ରିଲିଫ୍ ଶିବିରରେ ରଖାଯାଇଛି। ବର୍ଷା ଓ ବନ୍ୟାରେ ଆନ୍ଧ୍ରପ୍ରଦେଶରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତେଲେଙ୍ଗାନାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନାର ୧୦ ଜିଲ୍ଲାରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ରାଜ୍ୟର ବନ୍ୟା ଏବଂ ବିଶେଷ କରି ବିଜୟୱାଡ଼ାରେ ବନ୍ୟାକୁ ଏକ ବଡ଼ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡ଼ୁ ଏବେ ଏନ୍ଟିଆର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହୁଥିବାବେଳେ ଆନ୍ଧ୍ରପ୍ରଦେଶ ବନ୍ୟାକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।
ରିଲିଫ୍ ଶିବିରରେ ୪୭ ହଜାରରୁ ଅଧିକ ଲୋକ ଡ୍ରୋନ ସାହାଯ୍ୟରେ ଖାଦ୍ୟ ପୁଡ଼ିଆ ବଣ୍ଟନ
ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍ ଏବଂ ଏସ୍ଡିଆରଏଫ୍ ସମେତ ମୋଟ୍ ୪୭ଟି ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି। ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ବଣ୍ଟାଯାଇଛି। ବିଜୟୱାଡ଼ାରେ ପାଣିଘେରରେ ଫସି ରହିଥିବା ଲୋକମାନଙ୍କ ପାଇଁ ଆକାଶମାର୍ଗରୁ ଖାଦ୍ୟ ପୁଡ଼ିଆ ପକାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୟୱାଡ଼ାର ପ୍ରକାଶମ ବ୍ୟାରେଜ୍ରୁ ସୋମବାର ୧୧.୪୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଛି। ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ମଧ୍ୟ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାପାଇଁ ଅନୁରୋଧ କରିଛନ୍ତି। ରେଡ୍ଡି କହିଛନ୍ତି, ବନ୍ୟା ଯୋଗୁଁ ରାଜ୍ୟରେ ୫ ହଜାରରୁ ଅଧିକ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କେନ୍ଦ୍ରଠାରୁ ତତ୍କାଳ ୨ ହଜାର କୋଟି ଟଙ୍କାର ସହାୟତା ମଗାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ମୃତକଙ୍କ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ବନ୍ୟା ପ୍ରଭାବିତ ପ୍ରତ୍ୟେକ ଜିଲ୍ଲା ପାଇଁ ତେଲେଙ୍ଗାନା ସରକାର ୫ କୋଟି ଲେଖାଏଁ ପ୍ରଦାନ କରିଛନ୍ତି।