ନୂଆଦିଲ୍ଲୀ: କ୍ୟାଥୋଲିକ୍ ବିଶପ୍ କନ୍ଫରେନ୍ସ (ସିବିସିସିଆଇ) ର ଅଧ୍ୟକ୍ଷ ମାର୍ ଆଣ୍ଡ୍ରୁସ୍ ଥାଜଥ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ବୈଠକକୁ ନେଇ ଥାଜାଥ କହିଛନ୍ତି, ଯେ "ପୋପ୍ ଫ୍ରାନ୍ସିସଙ୍କୁ ଭାରତକୁ ନିମନ୍ତ୍ରଣ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ମୋତେ କହିଛନ୍ତି ଯେ ଗତ ବର୍ଷ ଭାଟିକାନ ସିଟି ଗସ୍ତ ସମୟରେ ସେ ପୋପ ଫ୍ରାନ୍ସିସଙ୍କୁ ନିମନ୍ତ୍ରଣ କରିସାରିଛନ୍ତି। ସିବିସିସିଆଇ ଅଧ୍ୟକ୍ଷ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କୁ ଶୀଘ୍ର ପୋପଙ୍କ ଗସ୍ତ ସ୍ଥିର କରାଇବାକୁ କହିଥିଲେ। ୧୯୯୯ ମସିହାରେ ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ଶେଷ ଥର ପାଇଁ ପୋପ୍ ଜନ୍ ପଲ୍ ଦ୍ୱିତୀୟ ଭାରତ ଆସିଥିଲେ। ଏହା ପରେ ମୋଦୀ ପୋପ୍ ଫ୍ରାନ୍ସିସଙ୍କୁ ଅକ୍ଟୋବର ୨୦୨୧ରେ ଇଟାଲୀ ଗସ୍ତ ସମୟରେ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହାରେ ଭାଟିକାନ୍ ସହରକୁ ଯାଇ ସେଠାରେ ପୋପ୍ ଫ୍ରାନ୍ସିସଙ୍କୁ ଭେଟିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୋପ୍ ଫ୍ରାନ୍ସିସଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହୋଇଥିଲା। ଉଭୟଙ୍କ ଏହି ବୈଠକ ମାତ୍ର ୨୦ ମିନିଟ୍ ପାଇଁ ଧାର୍ଯ୍ୟ କରାଯାଇଥିଲେ ବି ଏହି ସଭା ଏକ ଘଣ୍ଟା ଧରି ଚାଲିଥିଲା | ଏହି ସମୟରେ ମୋଦୀ ମଧ୍ୟ ପୋପଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ। ଭାଟିକାନରେ ମୋଦୀଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ପୋପଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି କହିଥିଲେ ଯେ, “ପୋପ୍ ଫ୍ରାନ୍ସିସଙ୍କ ସହ ଅନେକ ବିଷୟ ଆଲୋଚନା କରିବାର ସୁଯୋଗ ପାଇଲି ଏବଂ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କଲି'' |