ନଭେମ୍ବର ପହିଲାରେ ଭାରତ ଗସ୍ତରେ ଆସିବେ ଜର୍ମାନ୍‌ ଚାନ୍‌ସେଲର୍‌ ଆଙ୍ଗେଲା ମେର୍କେଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ପଞ୍ଚମ ଦ୍ୱିବାର୍ଷିକ ‘ଇଣ୍ଟର୍‌ ଗଭର୍ଣ୍ଣମେଣ୍ଟାଲ୍‌ କନ୍‌ସଲ୍‌ଟେସନ୍‌ସ୍‌’ରେ ଯୋଗ ଦେବା ନିମନ୍ତେ ନଭେମ୍ବର ପହିଲା ଦିନ ଜର୍ମାନ୍‌ ଚାନ୍‌ସେଲର୍‌ ଆଙ୍ଗେଲା ମେର୍କେଲ୍‌ ଭାରତ ଗସ୍ତରେ ଆସିବେ ବୋଲି ଶୁକ୍ରବାର ଦିନ ସରକାର ଘୋଷଣା କରିଛନ୍ତି।

ତାଙ୍କ ସହ ଥିବେ ସଂଘୀୟ ସରକାରଙ୍କର କେତେକ ମନ୍ତ୍ରୀ ଓ ରାଷ୍ଟ୍ର ସଚିବ ତଥା ଉଚ୍ଚ-କ୍ଷମତାସମ୍ପନ୍ନ ବ୍ୟାବସାୟିକ ପ୍ରତିନିଧି ଦଳ। ‘ଆଇଜିସି’ ରୀତି ଅନୁସାରେ ଉଭୟ ଦେଶର ପ୍ରତିପକ୍ଷ ମନ୍ତ୍ରୀମାନେ ପରସ୍ପର ଦାୟିତ୍ୱ କ୍ଷେତ୍ର ସଂକ୍ରାନ୍ତରେ ପ୍ରାଥମିକ ଆଲୋଚନା କରିବେ। ଏହି ଆଲୋଚନାର ଫଳାଫଳ ସଂକ୍ରାନ୍ତରେ ‘ଆଇଜିସି’ର ଯୁଗ୍ମ ଅଧ୍ୟକ୍ଷତା କରୁଥିବା ପ୍ରଧାନମନ୍ତ୍ରୀ ଏବଂ ଫେଡେରାଲ୍‌ ଚାନ୍‌ସେଲର୍‌ ଅଫ୍‌ ଜର୍ମାନୀଙ୍କୁ ରିପୋର୍ଟ କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏକ ବିବୃତିରେ କହିଛି।

ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘଟଣାବଳୀକୁ ଜର୍ମାନି ଭାରତର ଅଭ୍ୟନ୍ତରୀଣ ବ୍ୟାପାର ଦୃଷ୍ଟିରୁ ଦେଖୁଥିଲେ ବି ସେଠାରୁ ଶୀଘ୍ର କଟକଣା ଉଠାଇବାକୁ କହିଛି।

ଦୁଇ ନେତା ମଧ୍ୟ ପୃଥକ୍‌ ଭାବେ ଉଭୟ ଦେଶର ସିଇଓ ଏବଂ ଅଗ୍ରଣୀ ବ୍ୟବସାୟୀଙ୍କ ସହ ଆଲୋଚନା କରିବେ। ‘ଆଇଜିସି’ ସମୟରେ ଦୁଇ ପକ୍ଷ ପରିବହନ, ଦକ୍ଷତା ବିକାଶ ଏବଂ ଶକ୍ତି ଭଳି ପାରମ୍ପରିକ କ୍ଷେତ୍ରର ସହଯୋଗିତା ଦୃଢ଼ତର କରିବା ନିମନ୍ତେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର