ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କୁହାଯାଉଛି କି ଦରମା ବୃଦ୍ଧି ନହେବାରୁ କର୍ମଚାରୀ ମାଲିକଙ୍କ ୧୮ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ କରି ଦେଇଛନ୍ତି। 

Advertisment

ସୂଚନାଯୋଗ୍ୟ, ବୈତୁଲ ଜିଲ୍ଲାର ଗଞ୍ଜ ଅଞ୍ଚଳରେ ଗୁପ୍ତା ମଲ ଅଛି। ଏହି ମଲରେ ଅନେକ ପ୍ରକାର ବୈଦ୍ୟୁତିକ ଉପକରଣ  ବିକ୍ରି ହୋଇଥାଏ। ଏହି ମଲରେ କମଳ ପୱାର ନାମକ ଜଣେ କର୍ମଚାରୀ କାମ କରନ୍ତି।

ଗତ ଦୀପାବଳି ସମୟରେ ସେ ମଲ ମାଲିକଙ୍କୁ ତାଙ୍କ ଦରମା ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ମାଲିକ କର୍ମଚାରୀଙ୍କ ଦାବିକୁ ଅଣଦେଖା କରି ଦେଇଥିଲେ। ଏହାପରେ କର୍ମଚାରୀ ଛୁଟି ନେଇ ଘରକୁ ଚାଲି ଯାଇଥିଲେ। ଘରୁ ପୁଣି କର୍ମକ୍ଷେତ୍ରକୁ ଫେରିବା ପରେ ମଲରେ ଥିବା ଅନେକ ବୈଦ୍ୟୁତିକ ଉପକରଣଗୁଡ଼ିକୁ ସେ ନଷ୍ଟ କରି ଦେଇଥିଲେ।

ଏହି ଘଟଣାର ପରଦିନ ମଲ ମାଲିକ ଆସିବା ପରେ ଦାମୀଦାମୀ ବୈଦ୍ୟୁତିକ ଉପକରଣଗୁଡ଼ିକୁ ନଷ୍ଟ ହୋଇଯାଇଥିବା ଦେଖିବାକୁ ପାଇଥିଲେ।
ସେ ସଙ୍ଗେସଙ୍ଗେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏଥିରୁ ସେ ଯାହା ଦେଖିଥିଲେ ସ୍ତବ୍ଧ ହୋଇଯାଇଥିଲେ। କାରଣ ସେ ଦେଖିଥିଲେ ତାଙ୍କର ସବୁଠାରୁ ବିଶ୍ବସ୍ତ କର୍ମଚାରୀ କମଳ ପୱାର ଗୋଟିଏ ପରେ ଗୋଟିଏ ଏପରି ଭାବେ ୧୧ଟି ଏଲଇଡି ଟିଭି ୭୧ଟି ଫ୍ରିଜ ନଷ୍ଟ କରି ଦେଇଥିଲେ। 

ଏନେଇ ମଲ ମାଲିକ ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ କମଳ ପୱାରଙ୍କୁ ଗିରଫ କରାଯାଇଥିଲା। ମାନସିକ ରୋଗୀ ଥିବା ଦର୍ଶାଇ କମଳ ଜାମିନରେ ବାହାରକୁ ଆସିଛନ୍ତି।