ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଗତ ସପ୍ତାହରେ ହୋଇଥିବା ନାବାଳିକା ମୃତ୍ୟୁ ଓ ମୃତଦେହକୁ ପୁଲିସର ଅସମ୍ମାନ ଘଟଣାକୁ ନେଇ ଉତ୍ତେଜନା ଜାରି ରହିଛି ।    ଉତ୍ୟକ୍ତ ଲୋକମାନେ ମଙ୍ଗଳବାର ଅପରାହ୍ନରେ ଏକ ସ୍ଥାନୀୟ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ଏହି  ଅଗ୍ନିକାଣ୍ଡ ଘଟଣା ପରେ କାଳିଆଗଞ୍ଜ ଥାନା ଚାରିପାଖରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମଙ୍ଗଳବାର ରାୟଗଞ୍ଜରେ ବିଜେପି ପକ୍ଷରୁ ଆୟୋଜିତ ବିକ୍ଷୋଭ ସମୟରେ ଲୋକେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଆସିଥିବା ବେଳେ ଏହି ଘଟଣା ଘଟିଛି । ଉତ୍ୟକ୍ତ ଲୋକମାନଙ୍କୁ ଘଉଡ଼ାଇବାକୁ ପୁଲିସ ପକ୍ଷରୁ ଲାଠିମାଡ଼ କରାଯାଇଥିଲା ।

Advertisment

ଗତ ସପ୍ତାହରେ ଏକ କେନାଲ କୂଳରେ ନାବାଳିକାର ମୃତଦେହ ମିଳିଥିଲା ।

ନାବାଳିକା ମୃତ୍ୟୁ ଓ ଥାନାରେ ନିଆଁ ଲଗାଇବା ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ତୃଣମୂଳ କଂଗ୍ରେସ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ହିଂସା କାଣ୍ଡ ଘଟାଇଥିବା ଅଭିଯୋଗ କରିଆସୁଛି। ଟିଏମସି ମଧ୍ୟ ଅଭିଯୋଗ କରିଛି ଯେ ନାବାଳିକା ବିଷ ଖାଇ ଆତ୍ମହତ୍ୟା କରିଥିବାବେଳେ  ବିଜେପି ଉପରେ ଦୁଷ୍କର୍ମ ଓ ହତ୍ୟା କଥା କହି ଉତ୍ତେଜନା ସୃଷ୍ଟି କରୁଛି । ନାବାଳିକାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁକୁ ନେଇ ବିଜେପି ନେତାମାନେ ମିଥ୍ୟା ବୟାନ ଦେଉଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି । ତେବେ ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ ଉକ୍ତ ନାବାଳିକାର ଦୁଷ୍କର୍ମ ଓ ହତ୍ୟା ହୋଇଥିବା ଅଭିଯୋଗ କରିଆସୁଛନ୍ତି ।