ଘର କାମ ଠିକ୍ ଭାବେ କରୁନଥିବାରୁ ଗୃହ ସହାୟିକାଙ୍କୁ ଛୁରୀରେ ଆକ୍ରମଣ ଅଭିଯୋଗ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୫ ବର୍ଷିଅ ଗୃହ ସହାୟିକାଙ୍କ କାମରେ ଅସନ୍ତୋଷ ହୋଇ ତାଙ୍କ ମାଲିକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗୃହ ସହାୟିକା ଜଣକ ହେଉଛନ୍ତି ବିହାରର ପ୍ରୀତିକୁମାରୀ ରାମ। ସେ ଗତ ଚାରି ବର୍ଷ ହେବ ଅହମ୍ମଦାବାଦର ସାନ୍ତନୁ ସିଂହ ଏବଂ କଲ୍ୟାଣୀଙ୍ଗ ଘରେ ଗୃହ ସହାୟିକା ଭାବେ କାମ କରି ଆସୁଥିଲେ।

ରବିବାର ସକାଳୁ ପ୍ରତିଦିନ ଭଳି ପ୍ରୀତିକୁମାରୀ ସାନ୍ତନୁଙ୍କ ଘରେ ତାଙ୍କର ନିତିଦିନିଆ କାର୍ଯ୍ୟ ଆରମ୍ଭ କରିଥିଲେ। ସେହି ସମୟରେ କଲ୍ୟାଣୀ ଆସି ପ୍ରୀତିଙ୍କୁ ଅଭିଯୋଗ କରିଥିଲେ ଯେ ସେ ଘର କାମ ଠିକ୍‌ ଭାବେ କରୁନାହାନ୍ତି ବୋଲି। ସେହି କଥାକୁ ନେଇ ଦୁହଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପରେ ପ୍ରୀତି ପୁଲିସ୍‌ରେ ଏକ ଅଭିଯୋଗ ଆଣି କହିଛନ୍ତି ଯେ କଲ୍ୟାଣୀ ତାଙ୍କୁ ଘର କାମକୁ ନେଇ ଶାରୀରିକ ନିର୍ଯାତନା ଦେଇଛନ୍ତି।


Hindustan Times

କେବଳ ସେତିକି ନୁହେଁ କଲ୍ୟାଣୀ ରାଗରେ ଆସି ପ୍ରଥମେ ପ୍ରୀତିଙ୍କୁ ମାରଧର କରିଥିବା ବେଳେ ପରେ ଏକ ଛୁରୀ ଧରି ପ୍ରୀତିଙ୍କୁ ଆକ୍ରମଣ କରିଛନ୍ତି ବୋଲି ପ୍ରୀତି ପୁଲିସ୍‌ରେ ଅଭି‌ଯୋଗ ଆଣିଛନ୍ତି।

ପ୍ରୀତି ନିଜକୁ ସୁରକ୍ଷା ଦେବାକୁ ଯାଇ ଛୁରୀକୁ ଧରିଥିବା ବେଳେ ଛୁରୀଟି ତାଙ୍କ ବାମ ହାତରେ ପଶି ଯାଇଥିଲା। ପ୍ରୀତି ରକ୍ତ ଜର୍ଜରିତ ଅବସ୍ଥାରେ ବାହାରକୁ ଦୌଡ଼ିକି ପଳାଇଥିବା ବେଳେ ସେଠାରେ ଜଣେ ଲୋକ ଦେଖି ଆମ୍ବୁଲାନ୍ସକୁ ଡାକିଥିଲେ ଓ ପ୍ରୀତିଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ପ୍ରୀତି ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ପୁଲିସ୍‌ କଲ୍ୟାଣୀଙ୍କ ବି‌ରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର