ରାଫେଲ ଡିଲ ମାମଲା, ନାସନାଲ ହେରାଲ୍ଡ  ବିରୋଧରେ ୫ ହଜାର କୋଟିର ମାନହାନୀ ମକଦ୍ଦମା ରୁଜ୍ଜୁ କଲେ ଅନୀଲ ଅମ୍ବାନି

ମୁମ୍ବାଇ : ରାଫେଲ୍ ଯୁଦ୍ଧ ବିମାନ ଡିଲ୍ ମାମଲାରେ ୫ ହଜାର କୋଟି ଟଙ୍କାର ମାନମାନି ମକଦ୍ଦମା ରୁଜୁ କରିଛନ୍ତି ଶିଳ୍ପପତି ତଥା ରିଲାଏନ୍ସ ଅନୀଲ ଧୀରୁଭାଇ ଅମ୍ବାନି ଗ୍ରୁପ ମୁଖ୍ୟ ଅନୀଲ ଅମ୍ବାନୀ । ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସ ମାଲିକାନାରେ ଥିବା ନ୍ୟାସନାଲ ହେରାଲ୍ଡ ରାଫେଲ୍ ଡିଲରେ ତାଙ୍କ ବିରୁଦ୍ଧରେ ଅପପ୍ରଚାର କରୁଥିବାରୁ ଅନୀଲ ଅମ୍ବାନୀ ଏହି ମାମଲା ରୁଜୁ କରିଛନ୍ତି ।

ନ୍ୟାସନାଲ ହେରାଲ୍ଡ ଲେଖା ଦ୍ୱାରା ରିଲାଏନ୍ସର ଛବି ଖରାପ କରିବାକୁ ଚେଷ୍ଟା କରୁଥିବା ଦର୍ଶାଇ ଅନୀଲ ଅମ୍ବାନୀ ପରିଚାଳିତ ରିଲାଏନ୍ସ ଡିଫେନ୍ସ, ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର୍ ଓ ରିଲାଏନ୍ସ ଏରୋଷ୍ଟ୍ରକଚର୍ ଦ୍ୱାରା ଏହି ମାମଲା ରୁଜୁ କରାଯାଇଛି । ଗତ ସପ୍ତାହରେ ମଧ୍ୟ ଅନୀଲ ଅମ୍ବାନି କଂଗ୍ରେସର ମୁଖପାତ୍ର ଜୟବୀର ସେରଗୀଲଙ୍କ ବିରୋଧରେ କୋର୍ଟ ନୋଟିସ ପଠାଇଥିଲେ । ରାଫେଲ ଡିଲ ନେଇ ତାଙ୍କ କମ୍ପାନି  ଟଙ୍କାଟିଏ ମଧ୍ୟ ଲାଭ ପାଇନଥିବା ଅନୀଲ ଅମ୍ବାନି କହିଛନ୍ତି ।

ପୂର୍ବରୁ ମଧ୍ୟ ଏହି ମାମଲାରେ ମୋଦି ସରକାର ରିଲାଏନ୍ସ ଜରିଆରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା କଂଗ୍ରେସ ଅଭିଯୋଗ କରିଥିଲା । ଏପରିକି ନିର୍ବାଚନୀ ସଭାଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ସମାଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର