ନୂଆଦିଲ୍ଲୀ : ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନି ସଫଳତାର ପାହାଚ ଚଢିଚାଲିଥିବାବେଳେ ତାଙ୍କ ସାନଭାଇ ଅନୀଲ ଅମ୍ବାନିଙ୍କ ସମସ୍ୟା ସରିବାର ନାଁ ଧରୁ ନାହିଁ । ଗୋଟିଏ ପଟେ ତାଙ୍କ କମ୍ପାନିଗୁଡ଼ିକ ଭଲ ଚାଲୁନଥିବାବେଳେ ଅନ୍ୟପଟେ ଆୟକର ବିଭାଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଜାରି କରିଛି । କଳାଧନ ନିରୋଧ ଆଇନ ଅଧିନରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ଆୟକର ବିଭାଗ ।
ଭାରତରେ ପ୍ରାୟ ୪୨୦ କୋଟି ଟଙ୍କାର ଟିକସ ଠକେଇ କରିବା ଓ ବିଦେଶରେ ଥିବା ବ୍ୟାଙ୍କ ଖାତା ସଂପର୍କରେ ଜାଣିଶୁଣି ତଥ୍ୟ ଲୁଚାଇବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ମାମଲା ରୁଜ୍ଜୁ କରିଛି ଆୟକର ବିଭାଗ । ସ୍ବିଶ ବ୍ୟାଙ୍କରେ ଥିବା ତାଙ୍କ ଖାତାରେ ୮୧୪ କୋଟି ଟଙ୍କାରୁ ଅଧିକ ଜମା ରହିଛି ।
ଚଳିତ ମାସ ଆରମ୍ଭରେ ଏହି ମାମଲାରେ ଅନୀଲଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ଅନୀଲଙ୍କ ଅଫିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଜବାବ ଦିଆଯାଇନାହିଁ । ତାଙ୍କୁ ଜବାବ ଦେବାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହି ସମୟ ମଧ୍ୟରେ ଜବାବ ନଆସିଲେ ଅନୀଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଳାଧନ ଆଇନ ଅନୁସାରେ ତାଙ୍କର ଦୋଷ ସାବ୍ୟସ୍ତ ହେଲେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ।